ପୃଥକ ଦୁର୍ଘଟଣା: ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରିରେ କାଳବୈଶାଖୀ ଯୋଗୁଁ ଡଙ୍ଗା ବୁଡ଼ି ମୃତ୍ୟୁ ଘଟିଥିବା ଦୁଇ ପରିବାର ଓ ଏୟାରଷ୍ଟ୍ରିପର ପାଚେରୀ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଥିବା ସେମାନଙ୍କ ପରିବାର ଏବଂ ଗଞ୍ଜାମରେ ସମୁଦ୍ରରେ ବୁଡି ପ୍ରାଣ ହରାଇଥିବା ଦୁଇ ଛାତ୍ରଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା

ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

ମାଲକାନଗିରି/ଗଞ୍ଜାମ : ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ପ୍ରାଣ ହରାଇଥିବା ଭିନ୍ନ ଭିନ୍ନ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଗଞ୍ଜାମ ଜିଲ୍ଲାରେ ଦୁଇ ଛାତ୍ର ସମୁଦ୍ରରେ ବୁଡି ମୃତ୍ୟୁ ମୁଖରେ ପଡିଥିବାରୁ ଉକ୍ତ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ଉଭୟ ଘଟଣାରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ସହାୟତା ଯୋଗାଇ ଦେବାକୁ ସେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ମାଲକାନଗିରିରେ କାଳବୈଶାଖୀ ଯୋଗୁଁ ଡଙ୍ଗା ବୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ମାଲକାନଗିରିରେ ଏୟାରଷ୍ଟ୍ରିପର ପାଚେରି ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସବୁ ଘଟଣାରେ ଅନ୍ୟ ଆହତଙ୍କୁ ମାଗଣାରେ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ବେଳାଭୂମିରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତ ଛାତ୍ରଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।