ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୭.୬% ବୃଦ୍ଧି
ସଡ଼କ ଦୁର୍ଘଟଣା ହ୍ରାସ କରିବାରେ ସହାୟକ ହେଉଥିବା ମେଡିଆନ୍ ଚିତ୍ରାଙ୍କନ, ପ୍ରତିଫଳିତ ଟେପ୍ ପେଷ୍ଟ, ସଚେତନତା କାର୍ଯ୍ୟକ୍ରମ କରିବାକୁ ରାଜ୍ୟ ସରକାରଙ୍କ ନିଦ୍ଦେର୍ଶ
ଡିଆରଏସସିଙ୍କୁ ପାଣ୍ଠି ଆବଣ୍ଟନ କରିବାକୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଲା ବାଣିଜ୍ୟ ଓ ପରିବହନ ବିଭାଗ
ଭୁବନେଶ୍ବର : ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ବଢିବାରେ ଲାଗିଛି। ଏବେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ହାର ୭.୬%କୁ ବୃଦ୍ଧି ପାଇଛି। ଏ ନେଇ ସଡ଼କ ଦୁର୍ଘଟଣା ହ୍ରାସ କରିବାରେ ସହାୟକ ହେଉଥିବା ମେଡିଆନ୍ ଚିତ୍ରାଙ୍କନ, ପ୍ରତିଫଳିତ ଟେପ୍ ପେଷ୍ଟ, ସଚେତନତା କାର୍ଯ୍ୟକ୍ରମ ପରିଚାଳନା ଓ ସିସି କ୍ୟାମେରା ଲଗାଇବା ଭଳି ପ୍ରକଳ୍ପ ହାତକୁ ନେବା ପାଇଁ ରାଜ୍ୟ ସରକାର ଓଡ଼ିଶାର ଜିଲ୍ଲା ସଡ଼କ ସୁରକ୍ଷା ସମିତିଗୁଡ଼ିକୁ ପାଣ୍ଠି ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଜିଲ୍ଲାପାଳ ଓ ପୁଲିସ ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି।
ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରମୁଖ ଏସ୍ଏଚ୍, ଏନ୍ଏଚ୍, ସହରାଞ୍ଚଳ କେନ୍ଦ୍ର ଇତ୍ୟାଦି ଥିବା ଜିଲ୍ଲାଗୁଡ଼ିକ ପାଇଁ ଏହି ପଦକ୍ଷେପ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ହ୍ରାସ ଦିଗରେ ପଦକ୍ଷେପ ନେବା ପାଇଁ ଡିଆରଏସସିକୁ ପାଣ୍ଠି ଯୋଗାଇ ଦେବାକୁ ପ୍ରସ୍ତାବ ଦିଆଯାଇଛି। ସଡ଼କ ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ପ୍ରତି ମାସରେ ଥରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି (ଡିଆରଏସସି)ର ବୈଠକ ଆୟୋଜନ କରିବାକୁ ସମସ୍ତ ଜିଲ୍ଲାକୁ ଅନୁରୋଧ କରାଯାଇଛି। ଏହି ପ୍ରସଙ୍ଗର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିଭିନ୍ନ ସଡ଼କ ସୁରକ୍ଷା କାର୍ଯ୍ୟ ପାଇଁ ଡିଆରଏସସିଗୁଡ଼ିକୁ ପାଣ୍ଠି ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଡିଆରଏସ୍ସିରେ ପାଣ୍ଠି ନିଯୁକ୍ତି ପାଇଁ ଅନୁମୋଦନ ମିଳିବା ପରେ ଜୁନ୍ ୨୦ ତାରିଖ ସୁଦ୍ଧା ପାଣ୍ଠିର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ପ୍ରସ୍ତାବ ଦାଖଲ କରିବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।
ରିପୋର୍ଟ ଅନୁଯାୟୀ, ୨୦୨୧ ତୁଳନାରେ ୨୦୨୨ରେ ସଡ଼କ ଦୁର୍ଘଟଣାରେ ୫୪୬୭ ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୩ ଜାନୁଆରୀ ଓ ଫେବୃଆରୀ ମାସରେ ସ୍ଥିତି ଆହୁରି ଖରାପ ହୋଇଛି। ୨୦୨୨ ଜାନୁଆରି ଓ ଫେବ୍ରୁଆରି ମାସ ତୁଳନାରେ ମୃତ୍ୟୁ ସଂଖ୍ୟାରେ ୨୪.୯୧% ବୃଦ୍ଧି ଘଟିଛି। ଦେବଗଡ଼, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।