ଲୌହଦାନବର ରକ୍ତ ଭୋଜି
ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ଦୁର୍ଘଟଣାରେ ୩୫୦ରୁ ଅଧିକ ଆହତ, ୫୦ରୁ ଅଧିକ ମୃତ ଆଶଙ୍କା
ମାଲବାହୀ ଟ୍ରେନକୁ ଧକ୍କା ଦେଲା କରମଣ୍ଡଳ ଏକ୍ସପ୍ରେସ
ବାଲେଶ୍ୱର : ଲୌହଦାନବର ରକ୍ତ ଭୋଜି। ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲାର ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣା। କରମଣ୍ଡଳ ଏକ୍ସପ୍ରେସ – ବେଙ୍ଗାଲୁରୁ ହାୱଡା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଥମେ ବାହାନଗା ନିକଟରେ ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା। ଏ ନେଇ ଖଡଗପୁର ଡିଆରଏମ ସୂଚନା ଦେଇଛନ୍ତି। ବାଲେଶ୍ୱର, ଭଦ୍ରକ, କଟକ ଏସସିବି ମେଡିକାଲ ସହ ଭୁବନେଶ୍ବରର ଏମ୍ସ ହସପିଟାଲ ସହ ଅନେକ ଘରୋଇ ଡାକ୍ତରଖାନା ବି ଚିକିତ୍ସା ପାଇଁ ପ୍ରସ୍ତୁତ ଅଛି। ଉଦ୍ଧାରକାର୍ଯ୍ୟ ପାଇଁ ୧୦୦ଟି ଆମ୍ବୁଲାନ୍ସ ଓ ୫୦ରୁ ଅଧିକ ବସ୍ ନିୟୋଜିତ ହୋଇଛି। ତେବେ ସାରା ରାତି ଅପରେଶନ ଚାଲିବ। କାଲି ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ଯାଇ ପହଞ୍ଚିବେ। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଗୁରୁତର ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।
ସୂଚନାନୁଯାୟୀ, ଉଭୟ ଏକ୍ସପ୍ରେସର ଅନେକ ବଗି ଓଲଟି ପଡ଼ିଛି। ୨ଟି ଟ୍ରେନର ମୋଟ ୧୭ଟି ବଗି ଓଲଟି ପଡିଛି। ଅନେକ ଯାତ୍ରୀ ଟ୍ରେନ ତଳେ ଚାପି ହୋଇ ରହିଥିବା ବେଳେ ଅନେକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩୫୦ରୁ ଅଧିକ ଆହତ ହୋଇଛନ୍ତି ଓ ମୃତାହତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ଉଦ୍ଧାରକାର୍ଯ୍ୟରେ ୩ଟି ଏନଡିଆରଏଫ, ୪ଟି ଓଡ୍ରାଫ ଟିମ୍ ଓ ୨୦ରୁ ଅଧିକ ଅଗ୍ନିଶମବାହିନୀ ନିୟୋଜିତ ଅଛନ୍ତି। ଏହାରି ମଧ୍ୟରେ ଏସ୍ଆରସି କଣ୍ଟ୍ରୋଲ ରୁମରେ ଯାଇ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଃଖପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ କରି ଦୁଃଖ ପ୍ରକାଶ କରିବା ସହ ଗଭୀର ସମବେଦନା ଜଣାଇଛନ୍ତି। ଘଟଣାସ୍ଥଳରେ ଏନଡିଆରଏଫ୍ ଟିମ ଯାଇ ପହଞ୍ଚିଛନ୍ତି ବୋଲି ଟ୍ୱିଟ କରିଛନ୍ତି ଅମିତ ଶାହ। ଘଟଣାସ୍ଥଳରେ ଜରୁରୀକାଳୀନ ସେବା ପାଇଁ ହେଲ୍ପ ଲାଇନ ନମ୍ବର ( ୬୭୮୨୨୬୨୨୮୬ )ଜାରିହୋଇଛି। ଭଦ୍ରକ ପାଇଁ ୮୪୫୫୮୮୯୯୦୦, ଯାଜପୁର-କେନ୍ଦୁଝର ରୋଡ-୮୪୫୫୮୮୯୯୦୬, କଟକ-୮୪୫୫୮୮୯୯୧୭, ଭୁବନେଶ୍ବର-୮୪୫୫୮୮୯୯୨୨, ଖୋର୍ଦ୍ଧା ରୋଡ-୬୩୭୦୧୦୮୦୪୬, ବ୍ରହ୍ମପୁର-୮୯୧୭୩୮୮୭୨୪୧, ବାଲୁଗାଁ-୯୯୩୭୭୩୨୧୬୯, ପଲାସା-୮୯୭୮୮୮୧୦୦୬, ହାୱଡା-୦୩୩-୨୬୩୮୨୨୧୭, ଖଡଗପୁର-୮୯୭୨୦୭୩୯୨୫, ୯୩୩୨୩୯୨୩୩୯, ବାଲେଶ୍ୱର-୮୨୪୯୫୯୧୫୫୯, ୭୯୭୮୪୧୮୩୨୨, ସାଲିମାର-୯୯୦୩୩୭୦୭୪୬ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି।