ସରିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ: ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି,ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ

ପୁରୀ: ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ସରିଲା । ଆଜି ସଅଳ ସଅଳ ପହଣ୍ଡିବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଶ୍ରୀସୁଦର୍ଶନଙ୍କ ପରେ ବଳଭଦ୍ର, ତାପରେ ସୁଭଦ୍ରା ଓ ଶେ‌ଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ସରିଛି।

ଏବେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେଲେଣି। ପହଣ୍ଡି ସମୟରେ ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଥିଲା। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ପହଣ୍ଡି ଆରମ୍ଭ ହୋଇଥିଲା। ସଅଳ ପହଣ୍ଡି ହେତୁ ଆଜି ରଥଟଣା ବି ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେବାର ସମ୍ଭାବନା ଦେଖା ଦେଇଛି।

ବାହୁଡ଼ା ଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ଶନିବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୫ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହେବ। ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ(ଖେଚୁଡ଼ି ଭୋଗ) ନୀତି ସମ୍ପନ୍ନ ହେବ।