ବାଦଲ ଫଟା ବର୍ଷା ଯୋଗୁ ନୁହେଁ ଅମରନାଥ ଅଚାନକ ବନ୍ୟା

ଦକ୍ଷିଣ କଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ଆସିଥିବା ଅଚାନକ ବନ୍ୟା ବାଦଲ ଫାଟିବା (କ୍ଲାଉଡ ବ୍ରଷ୍ଟ) ଯୋଗୁ ନୁହେଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ପୁଷ୍ଟି କରିଛନ୍ତି। ଅତ୍ୟାଧିକ ସ୍ଥାନୀୟ ବର୍ଷା ଯୋଗୁ ଏପରି ପରିସ୍ଥିତି ସୃଷ୍ଟି  ହୋଇଥିବା ଆଇଏମଡି କହିଛନ୍ତି। ପାଣିପାଗ ବୈଜ୍ଞାନିକଙ୍କ ଅନୁସାରେ ଶୁକ୍ରବାର ଅପରାହ୍ନ ସାଢେ ୪ଟାରୁ ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଗୁମ୍ଫା ଆଖପାଖ ପର୍ବତ୍ୟାଞ୍ଚଳରେ ୩୧ ମିଲିମିଟର ବର୍ଷା ହୋଇଥିଲା। ଯାହା କ୍ଲାଉଡ ବ୍ରଷ୍ଟ ଭଳି କୌଣସି ଘଟଣାଠାରୁ କମ୍ ନୁହେଁ ବୋଲି ଆଇଏମଡି କହିଛନ୍ତି।

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର  ଗଣମାଧ୍ୟମକୁ ସାକ୍ଷାତକାରରେ  ଅମରନାଥ ଗୁମ୍ଫା ମନ୍ଦିର ନିକଟବର୍ତ୍ତି ଉଚ୍ଚ ପାହାଡ଼ ଉପରେ ବର୍ଷା ଯୋଗୁ ଅଚାନକ ବନ୍ୟା ଆସିଥାଇପାରେ ବୋଲି କହିଛନ୍ତି। ଆଇଏମଡିଙ୍କ ଅନୁସାରେ ଯେତେବେଳେ କୌଣସି ପାଣିପାଗ କେନ୍ଦ୍ର ଅନ୍ତର୍ଗତ ଅଞ୍ଚଳରେ ୧ ଘଣ୍ଟାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୁଏ ସେତେବେଳେ ବର୍ଷାକୁ ବାଦଲଫଟା ଶ୍ରେଣୀରେ ରଖାଯାଏ।