ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପାଳିବ ନିଆରା ରଜ

ଚଳିତବର୍ଷ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ରଜ ମହୋତ୍ସବ ପାଳନକୁ ବେଶ୍ ଧୁମ୍‌ଧାମରେ ବ୍ୟାପକ ରୂପେ ଏକ ସ୍ଵତନ୍ତ୍ର ଢଙ୍ଗରେ ପାଳନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି

ଯୋଗ ଦେବେ ଅନେକ ସୁନାମଧନ୍ୟ କଳାକାର

ଭୁବନେଶ୍ବର : ଓଡ଼ିଶାର ଗଣପର୍ବ ରଜ। ରଜ ପର୍ବ ସହ ଆମେମାନେ ସ୍ୱତଃସ୍ପୃତ ଭାବେ ଜଡିତ। ସାରା ଓଡ଼ିଶାରେ ରଜ ପର୍ବକୁ ବେଶ୍ ଜାକଜମକରେ ପାଳନ କରାଯାଏ। ଏ ନେଇ ଚଳିତବର୍ଷ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ରଜ ମହୋତ୍ସବ ପାଳନକୁ ବେଶ୍ ଧୁମ୍‌ଧାମରେ ବ୍ୟାପକ ରୂପେ ଏକ ସ୍ଵତନ୍ତ୍ର ଢଙ୍ଗରେ ପାଳନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୧୩ ତାରିଖରୁ ଚାରିଦିନ ବ୍ୟାପୀ ଏହି ପର୍ବ ନୂଆଗାଁ ରଜ ମେହାତ୍ସବ ପଡିଆରେ ପାଳନ କରାଯିବ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ, ହାସ୍ୟ ଅଭିନେତା ଓ ଅନ୍ୟାନ୍ୟ ପ୍ରତିଭାଧାରୀ ବ୍ୟକ୍ତି ଯୋଗ ଦେଇ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିବେ। ସେହିପରି ଖୋର୍ଦ୍ଧାଗଡର ପାଇକ ପୁଅ ସେମାନଙ୍କର ଗରିମାମୟ ବୀରତ୍ବର ଗାଥାକୁ ମଧ୍ଯ ସୁସଜ୍ଜିତ ଢଙ୍ଗରେ ପ୍ରଦର୍ଶନ କରିବେ। ଏହା ସହ କୁନିକୁନି ଶିଶୁମାନେ ଅନେକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଆଉ ତା ସାଙ୍ଗକୁ ରାଜ୍ୟସ୍ତରୀୟ ବଡିବିଲ୍ଡିଂ ମଧ୍ୟ ପ୍ରଦର୍ଶନ କରାଯିବ, ଯାହାକି ଅନ୍ୟତମ ଆକର୍ଷଣୀୟ। ଏଭଳି କାର୍ଯ୍ୟକ୍ରମ ସହ ନାରୀଶକ୍ତିର ଝଲକ ମଧ୍ୟ ସମସ୍ତେ ଦେଖିବାକୁ ପାଇବେ। ଯେମିତିକି ମିଶନ ଶକ୍ତି ଗ୍ରୁପର ମହିଳା ମାନଙ୍କ ୨ଶହରୁ ଊର୍ଦ୍ଧ୍ବ ସ୍ଵତନ୍ତ୍ର ଷ୍ଟଲମାନ ଖୋଲାଯାଇ ଓଡ଼ିଆ ଘରର ପିଠା, ମିଠା, ପାନ ଓ ଅନ୍ୟାନ୍ୟ ରଜ ବ୍ୟଞ୍ଜନର ଉପଲବ୍ଧ ହେବ। ଓଡ଼ିଶାର କଳାସଂସ୍କୃତି ଅକ୍ଷୁର୍ଣ୍ଣ ରଖିବା ପାଇଁ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ଏଭଳି ନିଆରା ପ୍ରସ୍ତୁତି ଆରମ୍ଭ କରିଛି।

ସୂଚନାନୁସାରେ, ଆସନ୍ତା ଜୁନ୍‌ ୧୩ ତାରିଖରେ ମ୍ୟୁଜିକ୍ ଚେୟାର, ବଡି ବିଲିଂ, ଖୋର୍ଦ୍ଧା ପାଇକ ଆଖଡା କାର୍ଯ୍ୟକ୍ରମ କରାଯିବା ବେଳେ ୧୪ ତାରିଖରେ ସଙ୍ଗୀତ ପ୍ରତିଯୋଗିତା (ସିନିୟର), ନୃତ୍ୟ ପ୍ରତିଯୋଗିତା (ସିନିୟର), ମେହେନ୍ଦୀ, ଶଙ୍ଖ, ହୁଳହୁଳି, ରୟ୍ଯାମ୍ପ ସୋ (ସିନିୟର) କାର୍ଯ୍ୟକ୍ରମ ହେବାର ଅଛି ଏବଂ ରାଜ୍ୟ ଓ ରାଜ୍ୟ ବାହାରର ସୁନାମଧନ୍ୟ କଳାକାରଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ, ଆରଏସ୍ କୁମାରଙ୍କ ଗ୍ରୁପ୍ ଦ୍ବାରା ସଙ୍ଗୀତ ପରିବେଷଣ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବ। ସେହିପରି ୧୫ ତାରିଖରେ ୨୫ ବର୍ଷରୁ ଊର୍ଦ୍ଧ ବୟସ୍କଙ୍କ ପାଇଁ ସଙ୍ଗୀତ ପ୍ରତିଯୋଗିତା, ନୃତ୍ୟ ପ୍ରତିଯୋଗିତା କରାଯିବ। ଏଥିରେ ମୁଖ୍ୟ ଆକର୍ଷଣ ଭା‌ବେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ, ଓଲିଉଡର ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗ ଦେବେ। ସେହିପରି ୧୬ ତାରିଖରେ ଓଡ଼ିଶାର ସୁନାମଧନ୍ୟ କଳାକାର ଅଭିଜିତ୍ ମଜୁମଦାର, ଇରା ମହାନ୍ତି, କୁମାର ବାପିଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯିବ ଓ ହାସ୍ୟ ଅଭିନେତା ଜୁନିୟର ପପୁଙ୍କ କମେଡି ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆକର୍ଷଣର କେନ୍ଦ୍ର ପାଲଟିବ ବୋଲି ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ସମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହି ସମ୍ମିଳନୀରେ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚର ସଭାପତି ବସନ୍ତ କୁମାର ବରାଳ, ପଦ୍ମଶ୍ରୀ ଶିଳ୍ପିଗୁରୁ ପ୍ରଭାକର ମହାରଣା, ସମ୍ପାଦକ ଚିନ୍ମୟାନନ୍ଦ ବଡ଼ଜେନା, ଅଶ୍ବିନୀ ସାହୁ, ପ୍ରକାଶ ରଣା, ସଞ୍ଜୟ ଗିରି, ପ୍ରଶସ୍ମିତା ମହାନ୍ତି, ସୁକାନ୍ତ ପାତ୍ର, ରଞ୍ଜିତ ମହାନ୍ତି, ଜଲି ମହାନ୍ତି, ପଦ୍ମାବତୀ ନନ୍ଦ, ଆଇନଜୀବୀ ତପନ ନାୟକ, ସୁଜିତ ହରିଚନ୍ଦନ, ବଳରାମ ଦେଓ, ଜଗଦିଶ ସାହୁ ଓ ଅନ୍ୟ ସଭ୍ୟମାନେ ଯୋଗ ଦେଇଥିଲେ।