ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ୨୦୨୩-୨୪ ଋତୁ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ସର୍ବନିମ୍ନ ସହାୟକ ମୂଲ୍ୟ) ବୃଦ୍ଧି କୁ ବୁଧବାର ଅନୁମୋଦନ କରିଛନ୍ତି

ମୁଗ ଡାଲିରେ ସର୍ବାଧିକ ଏମଏସପି ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୨୩-୨୪ ଋତୁ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ବୁଧବାର ଅନୁମୋଦନ କରିଛନ୍ତି। କେନ୍ଦ୍ର କ୍ୟାବିନେଟ ୨୦୨୩-୨୪ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରି ୨୧୮୩ ଟଙ୍କା, ଧାନ ଗ୍ରେଡ୍-ଏ ସହାୟକ ମୂଲ୍ୟ କୁଇଣ୍ଟାଲ ୨୨୦୩ ଟଙ୍କାକୁ ବୃଦ୍ଧି, ମୁଗ ଏମଏସପି କୁଇଣ୍ଟାଲ ପିଛା ସର୍ବାଧିକ ୮୫୫୮ ଟଙ୍କା, କପା ୬୬୨୦ ଟଙ୍କା, ବିରି କୁଇଣ୍ଟାଲ ୬୯୫୦ ଟଙ୍କା, ବାଦାମ କୁଇଣ୍ଟାଲ ୬୩୭୭ ଟଙ୍କାକୁ ବୃଦ୍ଧି ମଞ୍ଜୁରୀ ଦେଇଛନ୍ତି।

କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଗଣମାଧ୍ୟମକୁ ଅଧିକ ସୂଚନା ଦେଇ କହିଛନ୍ତି ଯେ “କେନ୍ଦ୍ର କ୍ୟାବିନେଟ ୨୦୨୩-୨୪ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପି ବୃଦ୍ଧିକୁ ଅନୁମୋଦନ କରିଛି ଏବଂ ଉତ୍ପାଦକମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। କୃଷି କ୍ଷେତ୍ରରେ ଆମେ ସିଏସିପି (କୃଷି ଖର୍ଚ୍ଚ ଓ ମୂଲ୍ୟ ଆୟୋଗ)ର ସୁପାରିସ ଆଧାରରେ ସମୟ ସମୟରେ ଏମଏସପି ନିର୍ଦ୍ଧାରଣ କରୁଛୁ। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଖରିଫ ଫସଲର ଏମଏସପିରେ ବୃଦ୍ଧି ସର୍ବାଧିକ।ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଉଥିବା ବେଳେ ଏମଏସପି ବୃଦ୍ଧି ଦ୍ୱାରା କୃଷକମାନେ ଲାଭବାନ ହେବେ” ବୋଲି ସେ କହିଛନ୍ତି।