ଡିଆରଡିଓର ସଫଳତାପୂର୍ଣ୍ଣ ‘ଅଗ୍ନି ପ୍ରାଇମ୍’ କ୍ଷେପଣାସ୍ତ୍ର ପରୀକ୍ଷଣ
ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ନୂଆ ପିଢ଼ିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର 'ଅଗ୍ନି ପ୍ରାଇମ୍'ର ସଫଳ ପରୀକ୍ଷଣ କରାଯାଇଛି
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଡିଆରଡିଓ ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ
ଭୁବନେଶ୍ୱର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ନୂଆ ପିଢ଼ିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ୍’ର ସଫଳ ପରୀକ୍ଷଣ କରାଯାଇଛି। ଓଡ଼ିଶା ଉପକୂଳରେ ଥିବା ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ‘ଅଗ୍ନି ପ୍ରାଇମ୍’ର ପରୀକ୍ଷଣ କରାଯାଇଥିଲା। ଉଡ଼ାଣ ପରୀକ୍ଷଣ ସମୟରେ ସମସ୍ତ ଲକ୍ଷ୍ୟ ସଫଳତାର ସହ ପ୍ରଦର୍ଶନ କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ଏ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଅଗ୍ନି ପ୍ରାଇମ୍’ର ସଫଳତା ତଥା କପି ବୁକ୍ ପ୍ରଦର୍ଶନ ପାଇଁ ଡିଆରଡିଓ ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି କାମତ ମଧ୍ୟ ଡିଆରଡିଓ ପରୀକ୍ଷାଗାରର ଟିମ୍ ଏବଂ ପରୀକ୍ଷଣ ଉତକ୍ଷେପଣରେ ସମ୍ପୃକ୍ତ ଉପଭୋକ୍ତାଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି।
ମନ୍ତ୍ରଣାଳୟ ଅନୁଯାୟୀ, କ୍ଷେପଣାସ୍ତ୍ରର ତିନୋଟି ସଫଳ ବିକାଶମୂଳକ ପରୀକ୍ଷଣ ପରେ ଉପଭୋକ୍ତାଙ୍କ ଦ୍ୱାରା କରାଯାଇଥିବା ଏହା ପ୍ରଥମ ପ୍ରି-ଇଣ୍ଡକ୍ସନ ନାଇଟ୍ ଲଞ୍ଚ୍ ଥିଲା, ଯାହା ସିଷ୍ଟମର ସଠିକତା ଏବଂ ବିଶ୍ୱସନୀୟତାକୁ ପ୍ରମାଣିତ କରିଥିଲା। ଜୁନ୍ ୭ ତାରିଖ ରାତିରେ ଏହି ପରୀକ୍ଷା କରାଯାଇଥିଲା। ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଭଳି ରେଞ୍ଜ ଇନଷ୍ଟ୍ରୁମେଂଟେସନକୁ ଟର୍ମିନାଲ ପଏଣ୍ଟରେ ଦୁଇଟି ଡାଉନ-ରେଞ୍ଜ ଜାହାଜ ସମେତ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଥିଲା।