ଫିନଲ୍ୟାଣ୍ଡରେ ଅନୁଷ୍ଠିତ ଆଥଲେଟିକ୍ସରେ ଭାରତ ଜିତିଲା ରୌପ୍ୟ ଓ କାଂସ୍ୟ ପଦକ

ମହିଳା ୧୦୦ ମିଟର ବାଧକ ଦୌଡ଼ରେ ଜ୍ୟୋତି ରୌପ୍ୟ ପଦକ ଜିତିଥିବା ବେଳେ ପୁରୁଷ ୧୦୦ ମିଟର ଦୌଡ଼ରେ ବୋରଗୋହେନ କାଂସ୍ୟ ପଦକ ଜିତିଛନ୍ତି।

ଜ୍ୟୋତି ୧୨.୯୫ ସେକେଣ୍ଡ ସମୟ ହାସଲ କରି ଫିନଲ୍ୟାଣ୍ଡରେ ପୋଡିୟମ ପଦକ ହାସଲ କରିଛନ୍ତି

ଫିନଲାଣ୍ଡ: ଫିନଲାଣ୍ଡରେ ଅନୁଷ୍ଠିତ ଜାଇଭାସ୍କିଲା ମୋଟୋନେଟ୍ ଜିପି ୨୦୨୩ ଆଥଲେଟିକ୍ସ ପ୍ରତିଯୋଗିତାରେ ଜ୍ୟୋତି ୟାରାଜି ରୌପ୍ୟ ଏବଂ ଅମ୍ଲାନ ବୋର୍ଗୋହେନ୍ କାଂସ୍ୟ ପଦକ ଜିତିଛନ୍ତି। ମହିଳା ୧୦୦ ମିଟର ବାଧକ ଦୌଡ଼ରେ ଜ୍ୟୋତି ରୌପ୍ୟ ପଦକ ଜିତିଥିବା ବେଳେ ପୁରୁଷ ୧୦୦ ମିଟର ଦୌଡ଼ରେ ବୋରଗୋହେନ କାଂସ୍ୟ ପଦକ ଜିତିଛନ୍ତି।

ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁରରେ ବ୍ରୋଞ୍ଜ ଇଭେଣ୍ଟ ଭାବେ ମାନ୍ୟତା ପାଇଥିବା ଏହି ପ୍ରତିଯୋଗିତାରେ ୨୩ ବର୍ଷୀୟ ଜ୍ୟୋତି ୧୨.୯୫ ସେକେଣ୍ଡ ସମୟ ହାସଲ କରି ଫିନଲ୍ୟାଣ୍ଡରେ ପୋଡିୟମ ପଦକ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ୧୨.୯୬ ସେକେଣ୍ଡ ସହ ହିଟରେ ଦ୍ବିତୀୟ ସ୍ଥାନରେ ରହିଥିଲେ।
ଫିନଲାଣ୍ଡର ରୀତା ହର୍ସ୍କେ ୧୨.୮୦ ସେକେଣ୍ଡ ସହ ଭାରତୀୟ ଆଥଲେଟଙ୍କ ଠାରୁ ଆଗରେ ଥିବା ବେଳେ ଅନ୍ୟ ଜଣେ ଫିନ୍ ନୁରାଲୋଟା ନେଜିରି ୧୩.୧୭ ସେକେଣ୍ଡ ସମୟ ନେଇ କାଂସ୍ୟ ପଦକ ଜିତିଛନ୍ତି।
ସୂଚନାଯୋଗ୍ୟ, ଫିନଲ୍ୟାଣ୍ଡ ଆଥଲେଟିକ୍ସରେ ପ୍ରବେଶ କରିଥିବା ଜ୍ୟୋତି ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ଟି-ମିଟିଂ ୨୦୨୩ରେ ମହିଳା ୧୦୦ ମିଟର ବାଧକ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ମେ’ ମାସରେ ଜର୍ମାନୀରେ ଅନୁଷ୍ଠିତ କୁର୍ପାଲଜ ଗାଲା ୨୦୨୩ ଆଥଲେଟିକ୍ସ ପ୍ରତିଯୋଗିତାରେ ୧୨.୮୪ ସେକେଣ୍ଡର ଶ୍ରେଷ୍ଠ ସମୟ ସହ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଥିଲେ।