ଆଜି ଶ୍ରୀଜିଉଙ୍କ ସୁନାବେଶ, ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧା ମୂରତି

ପୁରୀ: ଚତୁର୍ଦ୍ଧାମୂର୍ତ୍ତି ସକଳ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ମିଳିତ ବିଗ୍ରହ । ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ । ଏଣୁ ଶ୍ରୀବିଗ୍ରହଙ୍କ ରୀତିନୀତି ଓ ବେଶରେ ପରିଲକ୍ଷିତ ହୁଏ ରାଜକୀୟ ଠାଣି । ଦାରୁଦିଅଁଙ୍କ ସୁନାବେଶ ଏହାର ଏକ ନିଦର୍ଶନ । ଆଷାଢ଼ ଶୁକ୍ଳ ଏକାଦଶୀ ରବିବାର ରଥାରୂଢ଼ ଶ୍ରୀବିଗ୍ରହଙ୍କ ସୁନାବେଶ । ଜନସମୁଦ୍ର ପାଲଟିବ ବଡ଼ଦାଣ୍ଡ । ୨ ବର୍ଷ ପରେ ସ୍ୱଚକ୍ଷୁରେ ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ଦର୍ଶନ କରିବେ ଶ୍ରଦ୍ଧାଳୁ ।

ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁନା ବେଶ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଅପରାହ୍ନ ୫ଟାରୁ ସୁନାବେଶ ଆରମ୍ଭ ହୋଇ ସନ୍ଧ୍ୟା ସାଢେ ୬ଟାରେ ବେଶ ଶେଷ ହେବ । ଶ୍ରୀବିଗ୍ରହଙ୍କୁ ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେବ । ବେଶରେ ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ବଢିବ । ରାତି ୧୦ଟାରୁ ୧୧ଟା ମଧ୍ୟରେ ଠାକୁରଙ୍କ ବେଶ ଓଲାଗି ହେବ । ଏହି ବେଶକୁ ବଡ଼ତଢ଼ାଉ ବେଶ ମଧ୍ୟ କୁହାଯାଏ । ଇତିହାସ କୁହେ ତତ୍କାଳୀନ ଗଜପତି କପିଳେନ୍ଦ୍ର ଦେବ ଜୟଦୁର୍ଗାଙ୍କ କୃପାରୁ ୧୪୬୦ ଖ୍ରୀଷ୍ଟାବ୍ଦରେ ସମଗ୍ର ଦକ୍ଷିଣ ଭାରତ ଜୟ କରି ୧୬ଟି ହସ୍ତୀରେ ବିପୁଳ ରତ୍ନ ଅଳଙ୍କାର ଆଣିଥିଲେ ।