ଓଡିଶାରେ ବିଜୁଳି କାଟ ହେଉନି, ଟ୍ରାନ୍ସଫର୍ମର ପୋଡିବା ବିଦ୍ୟୁତ ବିଚ୍ଛିନ୍ନର କାରଣ: ଶକ୍ତି ମନ୍ତ୍ରୀ
ଓଡିଶାରେ ବିଜୁଳି କାଟ ହେଉନି ବରଂ ଓଭରଲୋଡ ଯୋଗୁଁ ଟ୍ରାନ୍ସଫର୍ମର ଏବଂ ତାର ଜଳି ଯାଉଥିବା ଦେଖିବାକୁ ମିଳୁଛି, ଯେଉଁଥିପାଇଁ ବିଜୁଳି ବିଚ୍ଛିନ୍ନ ହେଉଛି ବୋଲି ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।
ଭିତିଭୂମି ଅଭାବ ଓ ମରାମତି କାର୍ଯ୍ୟ ପାଇଁ ଅଧିକ ସମୟ ଲାଗୁଥିବାରୁ ବିଦ୍ୟୁତ ବିଚ୍ଛିନ୍ନର ଏକ ମୁଖ୍ୟ କାରଣ
ଭୁବନେଶ୍ୱର: ଓଡିଶାରେ ବିଜୁଳି କାଟ ହେଉନି ବରଂ ଓଭରଲୋଡ ଯୋଗୁଁ ଟ୍ରାନ୍ସଫର୍ମର ଏବଂ ତାର ଜଳି ଯାଉଥିବା ଦେଖିବାକୁ ମିଳୁଛି, ଯେଉଁଥିପାଇଁ ବିଜୁଳି ବିଚ୍ଛିନ୍ନ ହେଉଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ବୋଲି କହିଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ଏହା ସହ ବିଜୁଳି କାଟ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ଶକ୍ତିମନ୍ତ୍ରୀ । ଶକ୍ତିମନ୍ତ୍ରୀ କହିଛନ୍ତି ଯେ, ‘‘ରାଜ୍ୟରେ କୌଣସି ବିଜୁଳି କାଟ ହୋଇନାହିଁ । ବଜ୍ରପାତ ସମୟରେ ଆମେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବାକୁ ବାଧ୍ୟ ହେଉଛୁ । ନିକଟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ପବନ ପ୍ରଭାବରେ ବିଦୁ୍ୟତ ଖୁଂଟ ଉପୁଡି ପଡିଥିଲା । ତେଣୁ ଖୁଂଟ ଓ ତାର ପୁନଃସ୍ଥାପନ କରିବା ସମୟସାପେକ୍ଷ କାର୍ଯ୍ୟ । ଆଉ ତା ସହ ଓଭରଲୋଡିଂ ଯୋଗୁଁ ଟ୍ରାନ୍ସଫର୍ମର ଓ ତାର ଜଳିଯାଉଥିବା ଦେଖିବାକୁ ମିଳୁଛି । ମୁଖ୍ୟତଃ ଭିତିଭୂମି ଅଭାବ ଓ ମରାମତି କାର୍ଯ୍ୟ ପାଇଁ ୨ରୁ ୩ ଘଂଟା ସମୟ ଲାଗୁଛି ଯାହା ବିଦ୍ୟୁତ ବିଚ୍ଛିନ୍ନର ଅନ୍ୟ ଏକ କାରଣ । ରାଜ୍ୟରେ ୩୩ କେଭି, ୧୧ କେଭି ଟ୍ରାନ୍ସଫର୍ମର ଜରିଆରେ ବିଜୁଳି ଉପଲବ୍ଧ କରାଇବା ପାଇଁ ଆବଶ୍ୟକ ଭତିଭୂମି ଏକ ଚିନ୍ତାର ବିଷୟ । ରାଜ୍ୟ ସରକାର ଏ ବିଷୟରେ ଅବଗତ ଅଛନ୍ତି ତେଣୁ ଜନସାଧାରଣ ଯେପରି ଆବଶ୍ୟକ ସୁବିଧା ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଦ୍ୟୁତ ବିତରଣ କମ୍ପାନୀଗୁଡିକୁ କୁହାଯାଇଛି । ’’