ଓଡିଶାର ପାରମ୍ପରିକ ଓ ଗଣପର୍ବ ରଜ
ଓଡିଶାର ଅନନ୍ୟ ସଂସ୍କୃତି, କୃଷି ଅର୍ଥନୀତି ଓ ଯୁବପିଢିଙ୍କ ସହ ଜଡିତ ଏହି ଗଣପର୍ବ ରଜ ସଭିଙ୍କ ପ୍ରିୟ ପର୍ବ
ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବାର ଅନନ୍ୟ ପର୍ବ ହେଉଛି ରଜ
ଓଡିଶାର ପାରମ୍ପରିକ ଓ ଗଣପର୍ବ ରଜ । ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବାର ଅନନ୍ୟ ପର୍ବ ହେଉଛି ରଜ । ଓଡିଶାର ଅନନ୍ୟ ସଂସ୍କୃତି, କୃଷି ଅର୍ଥନୀତି ଓ ଯୁବପିଢିଙ୍କ ସହ ଜଡିତ ଏହି ଗଣପର୍ବ ରଜ ସଭିଙ୍କ ପ୍ରିୟ ପର୍ବ । ରଜ ପର୍ବ ତିନିଦିନ ଧରି ପାଳନ କରାଯାଏ । ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମିଦାହ ବା ଭୂମିଦହନ ଏବଂ ଚତୁର୍ଥ ଦିନ ହେଉଛି ବସୁମତୀ ସ୍ନାନ । ଏହି ଦିନ ମାଟି ମାଆ ରଜସ୍ୱଳା ହୁଏ ଏବଂ ନୂଆ କିସମର ଫସଲ ଫଳାଇ ଆମ ହାତରେ ଅଜାଡି ଦିଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜା କରିବା ସହ ଚାଷ କାମରୁ ବିରତି ନେଇଥାନ୍ତି ଓ ମାଟି ମାଆକୁ ତିନି ଦିନ ଧରି ବିଶ୍ରାମ ନେଇଥାନ୍ତି ।
ରଜ ଝିଅମାନଙ୍କର ଏକ ମୁଖ୍ୟ ପର୍ବ । ଏହି ପର୍ବରେ ତିନି ଦିନ ଧରି ଝିଅମାନେ ନୂଆ ବସ୍ତ୍ର ପରିଧାନ କରି ଦୋଳି ଖେଳ ଓ ପୁଚି ଖେଳ ଆଦିରେ ସମୟ ଅତିବାହିତ କରନ୍ତି । ସେହିପରି ଘରର ଘରଣୀମାନେ ମଧ୍ୟ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳ ତଥା ଦୋଳି ଖେଳରେ ମାତନ୍ତି ଓ ମଉଜ ମଜଲିସ କରନ୍ତି । । ପରମ୍ପରା ଅନୁସାରେ ଏହି ତିନି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । କୁମାରୀମାନେ ମୁଖ୍ୟତଃ ଗୁଆ ଖୋଳପାରେ ତିଆରି କଠଉ କିମ୍ବା ଚପଲ ପିନ୍ଧି ଭୂଇଁ ଉପରେ ଚାଲିବାର ବିଧି ରହିଛି । ରଜରେ ପାନଖିଆ ଏକ ପୁରୁଣା ଓଡିଆ ପରମ୍ପରା । ଏହି ଦିନରେ ଖାଇବା ପାଇଁ ସ୍ୱତନ୍ତ୍ର ପାନ ତିଆରି କରାଯାଇଥାଏ ଯୋଉଁଥିରେ ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ସେହିପରି ଏହି ଦିନରେ ପ୍ରାୟତଃ ଭାତ ନଖାଇ ମୁଖ୍ୟତଃ ଚକୁଳି ପିଠା ଓ ପୋଡ ପିଠା ଭଳି ଅନେକ ପ୍ରକାରର ପିଠାପଣା ଖାଇ ସମୟ ବିତାନ୍ତି ।