ବାତ୍ୟା ବିପର୍ଯ୍ୟୟ ପ୍ରଭାବ: ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ

ସମ୍ଭାବ୍ୟ ବାତ୍ୟା ବିପର୍ଯ୍ୟୟ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ ସ୍ଥଗିତ

ଓଡ଼ିଶା ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା

ଭୁବନେଶ୍ବର : ଗୁଜରାଟର ଜାଖାଉ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିବାକୁ ଥିବା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ର ଅସାଧାରଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜୁନ୍ ୧୭ ତାରିଖରେ ହେବାକୁ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ସ୍ଥଗିତ ରଖାଯାଇଛି।

ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଗୁଜରାଟ ଆଡ଼କୁ ଗତି କରୁଥିବା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ର ସ୍ଥିତି ଉପରେ କେନ୍ଦ୍ର ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ଗୁଜରାଟରେ ୪୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାରୁ ଗୃହମନ୍ତ୍ରୀ ଅତ୍ୟନ୍ତ ବ୍ୟସ୍ତ ଅଛନ୍ତି ଏବଂ ବାତ୍ୟା ଜନିତ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ପଦକ୍ଷେପ ନିଆଯାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଶାହାଙ୍କ ଓଡ଼ିଶା ଗସ୍ତକୁ ସ୍ଥଗିତ ରଖାଯାଇଛି ବୋଲି ହରିଚନ୍ଦନ କହିଛନ୍ତି।
ସୂଚନାନୁଯାୟୀ, ବିଜେପିର ମାସେ ଧରି ଚାଲିବାକୁ ଥିବା ଜନସମ୍ପାର୍କ ଅଭିଯାନର ଅଂଶ ବିଶେଷ ଭାବେ ଅମିତ ଶାହା ଢେଙ୍କାନାଳ ସମେତ କଟକ ଓ କେନ୍ଦ୍ରାପଡ଼ାରେ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ବାତ୍ୟା ଜନିତ ସ୍ଥିତି ସ୍ୱାଭାବିକ ହେବା ପରେ ଖୁବଶୀଘ୍ର ଗୃହମନ୍ତ୍ରୀଙ୍କ ରାଜ୍ୟ ଗସ୍ତ ପାଇଁ ନୂଆ ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆସନ୍ତା ୨୨ ତାରିଖରେ ଓଡ଼ିଶାର କଳାହାଣ୍ଡି ଗସ୍ତ ଅପରିବର୍ତ୍ତିତ ରହିଛି ଏବଂ ଦଳୀୟ ଅଧ୍ୟକ୍ଷ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ରାଜ୍ୟରେ କାର୍ଯ୍ୟକ୍ରମରେ ଯୋଗଦେବେ।