ଭଦୋଦରାରେ ସୌର ଶକ୍ତି ଚାଳିତ ‘ରୋବୋ ରଥଯାତ୍ରା’
୯ ବର୍ଷ ଧରି ଭଦୋଦରାରେ ଜଣେ ବ୍ୟକ୍ତି ଏହି ସୌର ଶକ୍ତି ଚାଳିତ 'ରୋବୋ ରଥଯାତ୍ରା' ଅନୁଷ୍ଠିତ କରି ଆସୁଛନ୍ତି
୯ ବର୍ଷ ଧରି ରିମୋଟ କଣ୍ଟ୍ରୋଲ ରଥଯାତ୍ରା ପାଳିତ ହେଉଛି
ଭଦୋଦରା : ପ୍ରତିବର୍ଷ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଳନ ହେଉଥିବା ବେଳେ ଗତ ୯ ବର୍ଷ ଧରି ଭଦୋଦରାରେ ଜଣେ ବ୍ୟକ୍ତି ଏହି ସୌର ଶକ୍ତି ଚାଳିତ ‘ରୋବୋ ରଥଯାତ୍ରା’ ଅନୁଷ୍ଠିତ କରି ଆସୁଛନ୍ତି।
ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁଗଣ ରଥକୁ ଟାଣି ନିଅନ୍ତି। କିନ୍ତୁ ଭଦୋଦରାରେ ହେଉଥିବା ଏହି ରଥଯାତ୍ରାରେ ରଥକୁ ଟାଣିବା ପାଇଁ ସ୍ୱୟଂ ଚାଳିତ ରୋବୋଟ ରିମୋଟ କଣ୍ଟ୍ରୋଲ ସାହାଯ୍ୟରେ ରଥ ଟଣାଯାଉଛି। ଜୟ ମକୱାନା ନାମକ ଜଣେ ବ୍ୟକ୍ତି ଏଭଳି ଅଭିନବ ପ୍ରୟାସ କରିଛନ୍ତି। ଗତ ୯ ବର୍ଷ ଧରି ସେ ରିମୋଟ କଣ୍ଟ୍ରୋଲ ସାହାଯ୍ୟରେ ରଥଟାଣିବା ପାଇଁ ବ୍ୟବସ୍ଥା କରିଥିବା ବେଳେ ଚଳିତ ବର୍ଷ ସେ ରଥକୁ ସୌରଶକ୍ତି ଚାଳିତ କରି ଆଉ ଏକ ପାଦ ଆଗେଇଛନ୍ତି।
ପ୍ରତିବର୍ଷ ଜଗନ୍ନାଥ ପୁରୀରେ ତାଜା କାଠରେ ନୂଆ ରଥ ନିର୍ମାଣ ହେଉଥିବାର ୯ ବର୍ଷ ତଳେ ତାଙ୍କୁ ଏହି ଧାରଣା ମିଳିଥିଲା ବୋଲି ମକୱାନା କୁହନ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପରିବେଶ ସଚେତନ ଓ ପ୍ରକୃତିପ୍ରେମୀ ଜୟ ଏକ ରୋବଟ୍ ଚାଳିତ ରଥ ନିର୍ମାଣ କରିଥିଲେ। ଏହି ରିମୋଟ୍ ପରିଚାଳିତ ରଥରେ ରୋବୋଟିକ୍ ମୋଟର ତିଆରି କରାଯାଇ ଏଥିରେ ରଥର ଆକାର ଦେଇଛନ୍ତି । ସୁଦର୍ଶନ ଚକ୍ରରେ ବସିଥିବା ରଥର ଶୀର୍ଷରେ ସୋଲାର ପ୍ୟାନେଲ ଲଗାଯାଇଛି ।