ଶ୍ରୀଜିଉଙ୍କ ଦିବ୍ୟ ବେଶ, ରାତି ୧୧ଟା ଯାଏଁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀକ୍ଷେତ୍ରରେ ଶ୍ରୀଜିଉମାନେ ଶ୍ରଦ୍ଧାଳୁମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି। ସିଂହଦ୍ବାର ସମ୍ମୁଖରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି। ମହାପ୍ରଭୁଙ୍କର ଏହି ଦିବ୍ୟ ବେଶ ରାତି ୧୧ଟା ଯାଏଁ ରହିବ। ଏହା ପରେ ବେଶ ଓଳାଗି ହେବ।

ସୂଚନା ଅନୁସାରେ, ବାହୁଡାଯାତ୍ରା ପରଦିନ ଅର୍ଥାତ ଏକାଦଶୀ ତିଥିରେ ରଥଉପରେ ମହାପ୍ରଭୁ ସୁନାବେଶ ହୋଇଥାନ୍ତି। ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।