ରାଜ୍ୟରେ ମୌସୁମୀ ସକ୍ରିୟ, ଆହୁରି ୫ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଶନିବାର ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଛି । ଏହାର ପ୍ରଭାବରେ ମୌସୁମୀ ସକ୍ରିୟ ହେବା ସହ ଅଧିକ ବର୍ଷା କରାଇବ । ଆସନ୍ତା ୫ଦିନ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଏହି ଗୋଟିଏ ଲଘୁଚାପ ନୁହେଁ, ଏହା ପରେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ୧୧ରୁ ୧୩ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ସେହିଭଳି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବ ।

ଏହା ଅଧିକ ଘନୀଭୂତ ହୋଇ ୧୪ରେ ଅବପାତ ରୂପ ନେବ । ଏହା ଓଡ଼ିଶା ଉପରେ ଦୁଇ ଦିନ ରହିବ । ପରେ ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ୧୪ରୁ ୧୬ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ୧୭ରୁ ବର୍ଷା କମିଯିବ । ସେ ସପ୍ତାହରେ ବିସ୍ତୃତ ବର୍ଷା ସମ୍ଭାବନା କମ୍‌ ବୋଲି ସେ କହିଛନ୍ତି ।

ତେବେ ଲଘୁଚାପ ପ୍ରଭାବରୁ ଦକ୍ଷିଣ ଓଡ଼ିଶାରେ ସବୁଠୁ ଅଧିକ ବର୍ଷା ହେବ । ଏହି ସପ୍ତାହରେ ବର୍ଷା ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବ । ସ୍ଥାନେ ସ୍ଥାନେ ୩୦୦ମିମିରୁ ଅଧିକ ବର୍ଷା ହୋଇପାରେ । ୧୪ରୁ ୧୬ ତିନି ଦିନ ଯାଏ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ।