ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ

ସ୍ୱାଭାବିକ ଠାରୁ ୨୦୫% ଅଧିକ ବର୍ଷା ହୋଇଛି

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ଆସିବା ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ବେଳେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗ କହିଛି ଯେ ଆଜି ଉତ୍ତର ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ସକ୍ରିୟ ଥିବା ବେଳେ ସମୁଦ୍ର ପତନଠାରୁ ୭.୬ କିଲୋମିଟର ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ଜାରି ରହିଛି। ଆସନ୍ତା ୨ ଦିନ ମଧ୍ୟରେ ଏହା ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ମଧ୍ୟପ୍ରଦେଶ ଆଡ଼କୁ ଗତି କରିପାରେ।
ତେବେ ଲଘୁଚାପ ଯୋଗୁଁ ରାଜ୍ୟର ଅତି କମରେ ୧୩ଟି ଜିଲ୍ଲା ଯଥାକ୍ରମେ ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ଆଶଙ୍କା ଥିବାରୁ ସତର୍କତାମୂଳକ ପଦକ୍ଷେପ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୭.୩ ମିଲି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ଠାରୁ ୨୦୫% ଅଧିକ ବର୍ଷା ହୋଇଛି।