ରବିବାର ଖୋଲା ରହିବ ଆହାର କେନ୍ଦ୍ର

ସବୁ ଦିନ ଖୋଲା ରହିବ ଆହାର କେନ୍ଦ୍ର। ରୋଗୀ ଓ ଆଟେଣ୍ଡାଣ୍ଟମାନଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇଦେବା ପାଇଁ ଏହି ନିଷ୍ପତି ନିଆଯାଇଛି

ଡାକ୍ତରଖାନା ପରିସର ଓ ନିକଟବର୍ତ୍ତୀ ଆହାର କେନ୍ଦ୍ର ଖୋଲା ରହିବ

ଭୁବନେଶ୍ବର: ଏଥର ସବୁ ଦିନ ଖୋଲା ରହିବ ଆହାର କେନ୍ଦ୍ର। ପୂର୍ବରୁ ରବିବାର ଦିନ ଆହାର କେନ୍ଦ୍ର ବନ୍ଦ ରହୁଥିବା ବେଳେ ଏବେ ଏହା ରବିବାର ଦିନ ମଧ୍ୟ ଖୋଲା ରହିବ। ରାଜ୍ୟର ଡାକ୍ତରଖାନା ପରିସରରେ କିମ୍ବା ତା ନିକଟବର୍ତ୍ତି ଆହାର କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ଏଥିପାଇଁ ଜିଲ୍ଲାପାଳ ତଥା ଆହାର ସମିତି ସଭାପତିଙ୍କୁ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ଡାକ୍ତରଖାନା ଓ ଏହାର ଆଖପାଖ ଅଞ୍ଚଳରେ ରୋଗୀ ଓ ଆଟେଣ୍ଡାଣ୍ଟମାନଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇଦେବା ପାଇଁ ରବିବାର ଦିନ ଆହାର କେନ୍ଦ୍ର ଖୋଲିବାକୁ ବିଭିନ୍ନ ମହଲରୁ ଅନୁରୋଧ ଆସୁଛି। ତେଣୁ ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।