ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

ଓଡ଼ିଶା କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିଜେଡି ଦଳୀୟ କାର୍ଯ୍ୟରେ ପାଣ୍ଡିଆନଙ୍କ ଉପସ୍ଥିତି ସର୍ବ ଭାରତୀୟ ସେବା ଆଚରଣ ଉଲ୍ଲଂଘନ

ଭୁବନେଶ୍ବର: ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ଚିଠିରେ ପାଣ୍ଡିଆନଙ୍କ ବିରୋଧରେ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ କରିଥିବା ଅଭିଯୋଗକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ନିର୍ଦ୍ଦେଶ ଉଲ୍ଲେଖ କରିଛି।

ରାଜ୍ୟରେ ବିଜେଡିର ଦଳୀୟ କାର୍ଯ୍ୟ ଓ ରାଜନୈତିକ ପୋଷ୍ଟରରେ ଭି.କେ. ପାଣ୍ଡିଆନଙ୍କ ଉପସ୍ଥିତି ଓ ଫଟୋ ରହୁଥିବାରୁ ଗତ କିଛି ଦିନ ଧରି ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଶାସକ ଦଳକୁ ଟାର୍ଗେଟ କରିବା ସହ ଏହି ଘଟଣାକୁ କଡା ନିନ୍ଦା କରୁଛନ୍ତି। ଏନେଇ ବିଜେପିର ବରିଷ୍ଠ ନେତ୍ରୀ ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ସଭାପତି ମନମୋହନ ସାମଲ କେନ୍ଦ୍ର ସରକାରଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ ମୁତାବକ, ” ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୫-ଟି ସଚିବ ଭି.କେ. ପାଣ୍ଡିଆନ ଓଡିଶା ସରକାରଙ୍କ ପ୍ରତ୍ୟେକ ସରକାରୀ କାର୍ଯ୍ୟରେ ଏବଂ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟରେ ପାଣ୍ଡିଆନ ଉପସ୍ଥିତ ରହିବା ସହ ରାଜନୈତିକ ପୋଷ୍ଟରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କୁ ଦେଖିବାକୁ ମିଳୁଛି, ଯାହାକି ସର୍ବ ଭାରତୀୟ ସେବା ଆଚରଣର ଖୋଲା ଉଲ୍ଲଂଘନ ଚାଲିଛି। ଓଡିଶାରେ ଜଣେ ଅଧିକାରୀଙ୍କ ଦ୍ୱାରା ସେବା ଆଚରଣ ନିୟମ ଉଲ୍ଲଂଘନ ଘଟଣାକୁ ରାଜ୍ଯ ସରକାର ମଧ୍ୟ ଗୁରୁତ୍ବ ଦେଉଛନ୍ତି।” ଗତ ଜୁନ୍ ୨୪ତାରିଖରେ ଅପରାଜିତା ଓ ମନମୋହନ ଡିଓପିଟିରେ ଲିଖିତ ଅଭିଯୋଗ କରିଥିଲେ ଓ ବ୍ୟକ୍ତିଗତ ଭାବେ ମଧ୍ଯ ଅଭିଯୋଗ ଦାଖଲ କରିଥିଲେ।

ଅପରପକ୍ଷରେ ୫ଟି ସଚିବ ଭିକେ ପାଣ୍ଡିଆନ୍ ସର୍ବଭାରତୀୟ ସେବା (ଆଚରଣ) ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗ କରି ମଙ୍ଗଳବାର ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖି ଅଧିକାରୀଙ୍କ ବିରୋଧରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ “ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ହାତୀବାଡ଼ି ରାସ୍ତାରେ ବିଜେଡି ଦଳର ହୋର୍ଡିଂରେ ଭିକେ ପାଣ୍ଡିଆନଙ୍କ ନାମ ରହିଛି। ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗଜପତି ଗସ୍ତ ସମୟରେ ରାଜ୍ୟ ସରକାର ଏକ ଚର୍ଚ୍ଚ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି, ଯାହା ସର୍ବଭାରତୀୟ ସେବା (ଆଚରଣ) ନିୟମର ସ୍ପଷ୍ଟ ଉଲ୍ଲଂଘନ କରାଯାଉଛି। ତେଣୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”