୨୮୦ କୋଟିର ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲିଙ୍ଗରାଜ ମନ୍ଦିରରେ ୨୮୦ କୋଟି ଟଙ୍କାର ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ଏକାମ୍ର କ୍ଷେତ୍ରର ହେବ ନବୀକରଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲିଙ୍ଗରାଜ ମନ୍ଦିରରେ ୨୮୦ କୋଟି ଟଙ୍କାର ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୨୦୧୯ରେ ଆରମ୍ଭ ହୋଇଥିବା ଏକାମ୍ର କ୍ଷେତ୍ର ସୁବିଧା ଏବଂ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନାରେ ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ବିଭିନ୍ନ ସ୍ମାରକୀ, ପବିତ୍ର ପୋଖରୀ ଓ ଜଳାଶୟ ସମେତ ୮୦ ଏକର ପରିମିତ ଅଞ୍ଚଳ ସହିତ ଏକାମ୍ର ପ୍ରକଳ୍ପ ଏହି ପ୍ରାଚୀନ ଐତିହ୍ୟ କ୍ଷେତ୍ରର ମହିମାକୁ ପୁନଃ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଅଞ୍ଚଳର ଐତିହ୍ୟର ପୁନରୁଦ୍ଧାର, ସୁରୁଖୁରୁରେ ଯାନବାହନ ଚଳାଚଳ ପାଇଁ ୧୨-୧୮ ମିଟର ଚଉଡ଼ା ମିଶ୍ରିତ ଟ୍ରାଫିକ୍ ଲେନ୍ ନିର୍ମାଣ ଏବଂ ପଥଚାରୀଙ୍କ ପାଇଁ ୪-୧୦ ମିଟର ଚଉଡ଼ା ୱାକ-ୱେ ନିର୍ମାଣ କରାଯିବ। ଭିଡ଼ କମାଇବା ପାଇଁ ଏହି ଅଞ୍ଚଳର ବାହାର ଅଞ୍ଚଳକୁ ପାର୍କିଂ ବ୍ୟବସ୍ଥା ସ୍ଥାନାନ୍ତର କରାଯିବ। ଏହା ସହ ଜରୁରୀକାଳୀନ ସେବା ପାଇଁ ୧୬୦୦ ବର୍ଗ ମିଟରର ସୂଚନା ଓ ନିୟନ୍ତ୍ରଣ କେନ୍ଦ୍ର ମଧ୍ୟ କରାଯିବ।

ଏହି ଅବସରରେ ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତରଣ ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ଦୋକାନୀ ଓ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶିଳାନ୍ୟାସ ପୂର୍ବରୁ ସୋମବାରଠାରୁ ଏଠାରେ ତିନି ଦିନିଆ ଭୂମି ପୂଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ବିନ୍ଦୁ ସାଗର ଓ ଆଖପାଖରେ ଥିବା ଅନ୍ୟାନ୍ୟ ମନ୍ଦିରକୁ ସୌନ୍ଦର୍ଯ୍ୟକରଣ ପାଇଁ ଆଲୋକିତ କରାଯାଇଛି ଏବଂ ବିଏମସି ମାର୍କେଟ କମ୍ପ୍ଲେକ୍ସରେ ଲାଇଟ ଆଣ୍ଡ ସାଉଣ୍ଡ ସୋ ଓ ନୃତ୍ୟ ପରିବେଷଣ କରାଯାଉଛି।