ଡେଙ୍ଗୁ ଆତଙ୍କ: ରାଜ୍ୟରେ ୧୮୫ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ୧୬ଟି ଜିଲ୍ଲାରୁ ୧୮୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

୯୨ ପ୍ରତିଶତ କେବଳ ଖୋର୍ଦ୍ଧାର

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ୧୬ଟି ଜିଲ୍ଲାରୁ ୧୮୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୯୬ ଜଣ, ଯାଜପୁରରୁ ୧୨ ଜଣ, ବାଲେଶ୍ୱରରୁ ୧୦ ଜଣ ଓ ଅନ୍ୟ ଜିଲ୍ଲାରୁ ମଧ୍ୟ ଅଛନ୍ତି। ସମୁଦାୟ ୧୧,୪୬୪ ଜଣଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇ ଗୁଣ ପରୀକ୍ଷା ସତ୍ତ୍ୱେ ପଜିଟିଭ୍ ହାର ବହୁତ କମ୍ ରହିଛି ଓ ୯୨ ପ୍ରତିଶତ କେବଳ ଖୋର୍ଦ୍ଧାର ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ଜିଲ୍ଲା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଜାରି କରାଯାଇଛି ବୋଲି ଡାକ୍ତର ମିଶ୍ର କହିଛନ୍ତି। ଯେକୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲରେ ଶଯ୍ୟା, ଔଷଧ ଓ ପ୍ଲେଟଲେଟ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟାପ୍ତ ପରିମାଣର ଔଷଧ ଇତ୍ୟାଦି ମହଜୁଦ ରଖାଯାଇଛି। ତେଣୁ ଲୋକମାନେ ଚିନ୍ତିତ ହେବାର କୌଣସି କାରଣ ନାହିଁ।