ଲାଞ୍ଚ ନେବା ବେଳେ ଧରାପଡ଼ିଲେ ମାଲକାନଗିରି ରାଜସ୍ୱ ନିରୀକ୍ଷକ

ମାଲକାନଗିରି ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ସିନ୍ଧିରିମାଳ ସର୍କଲର ରାଜସ୍ୱ ନିରୀକ୍ଷକ ସୀମାଞ୍ଚଳ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ

୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ; ରେଡ୍ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ସିନ୍ଧିରିମାଳ ସର୍କଲର ରାଜସ୍ୱ ନିରୀକ୍ଷକ ସୀମାଞ୍ଚଳ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ୨୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓ ଲାଞ୍ଚ ନେବା ସମୟରେ ରେଡ ହ୍ୟାଣ୍ଡ ଧରିଛି ଭିଜିଲାନ୍ସ।

ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବଶାଳଙ୍କ ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ନିର୍ମାଣାଧୀନ ଏୟାରଷ୍ଟ୍ରିପ୍ ଯୋଗୁଁ ବିସ୍ଥାପିତ ହୋଇଥିବା ପରିବାରକୁ ରାଜ୍ୟ ସରକାର ୭ ଲକ୍ଷ ୩୧ ହଜାର ଟଙ୍କା କ୍ଷତିପୂରଣ ମଞ୍ଜୁର କରିଛନ୍ତି। ଗୌଡଗୁଡା ପଂଚାୟତର ମାୟାରାଣୀ ମଣ୍ଡଳଙ୍କର ଦେଢ଼ ଡେସିମିଲ ଜମି ସରକାର ଅଧିଗ୍ରହଣ କରିଥିବା ବେଳେ ଶ୍ରୀ ସାହୁ ତାଙ୍କୁ କ୍ଷତିପୂରଣ ଦେବା ପାଇଁ ତାଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମାୟାରାଣୀ ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ଉକ୍ତ ଆରଆଇ ସୀମାଞ୍ଚଳଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ବୁଧବାର ଶ୍ରୀ ସାହୁ ମାୟାରାଣୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ରେଡ୍ ହ୍ୟାଣ୍ଡ ଧରିଥିଲେ। ସୀମାଞ୍ଚଳ ସାହୁଙ୍କ ଠାରୁ ପୂରା ଲାଞ୍ଚ ଟଙ୍କା ଜବତ ହୋଇଛି। କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ ଆଇନ ୨୦୧୮)ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି।