ବନ କର୍ମଚାରୀଙ୍କୁ ସୁରକ୍ଷା ଦେଲେ ରାଜ୍ୟ ସରକାର

ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବୁଧବାର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଧାରା ୧୯୭ ସିଆରପିସି ଅନୁଯାୟୀ ବନ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ

ଭୁବନେଶ୍ବର: ବନ କର୍ମଚାରୀଙ୍କୁ ସୁରକ୍ଷା ଦେଲେ ରାଜ୍ୟ ସରକାର। ଆଣିଲେ ନୂଆ ନିୟମ। ରାଜ୍ୟ ସରକାର ସିଆରପିସିର ଧାରା ୧୯୭ ଅନୁଯାୟୀ ବନ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବୁଧବାର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଙ୍ଗଲ ଜମି ଓ ଜଙ୍ଗଲ ଭିତ୍ତିକ ସମ୍ପଦର ସୁରକ୍ଷା ପାଇଁ ସରକାର ରାଜ୍ୟର ବନକର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଛନ୍ତି। ତେବେ ନିଜ ଦାୟିତ୍ବ ନିର୍ବାହରେ ଅସ୍ତ୍ରଶସ୍ତ୍ର ବ୍ୟବହାର କଲେ ବନ କର୍ମଚାରୀମାନେ ଅପରାଧିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି। ତେଣୁ ବର୍ତ୍ତମାନ ସିଆରପିସିର ଧାରା-୧୯୭ର ଉପଧାରା-(୨) ଅନୁଯାୟୀ ଥିବା ବ୍ୟବସ୍ଥା ରାଜ୍ୟର ସମସ୍ତ ଫରେଷ୍ଟ ଗାର୍ଡ, ଫରେଷ୍ଟର, ଡେପୁଟି ଫରେଷ୍ଟ ରେଞ୍ଜ ଅଫିସର, ଫରେଷ୍ଟ ରେଞ୍ଜ ଅଫିସର, ସହକାରୀ ବନ ସଂରକ୍ଷକ, ଉପଖଣ୍ଡ ବନ ଅଧିକାରୀ, ଉପଜଙ୍ଗଲ ସଂରକ୍ଷକ, ଉପନିର୍ଦେଶକ, ବିଭାଗୀୟ ବନ ଅଧିକାରୀ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, କ୍ଷେତ୍ର ନିର୍ଦ୍ଦେଶକ ଏବଂ ଅନ୍ୟ ବନ ଅଧିକାରୀଙ୍କ ଉପରେ ଲାଗୁ କରାଯାଇଛି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର)ରେ ଶିକାରୀଙ୍କ ଦ୍ୱାରା ଦୁଇ ଜଣ ବନ କର୍ମଚାରୀଙ୍କୁ ହତ୍ୟା କରାଯିବା ପରେ କ୍ଷତିଗ୍ରସ୍ତଙ୍କୁ ସୁରକ୍ଷା ଓ ଉପଯୁକ୍ତ କ୍ଷତିପୂରଣ ଦାବିରେ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।