ଦୁର୍ନୀତିକୁ ମୁଖ୍ୟମନ୍ତ୍ରୀଙ୍କ ନାଁ: ୯ ଅଧିକାରୀଙ୍କ ବିରୋଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ

ଅପାରଗ ଓ ଦୁର୍ନୀତିଗ୍ରସ୍ତ ୯ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି

ଦୁର୍ନୀତିକୁ ଶୂନ୍ୟ ସହନଶୀଳତା

ଭୁବନେଶ୍ୱର: ଦୁର୍ନୀତିକୁ ମୁଖ୍ୟମନ୍ତ୍ରୀଙ୍କର କଠୋର ବିରୋଧ । ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଦେଖାଇ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟର ୯ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନିଲମ୍ବନ ସହ ପେନସନ୍ ମଧ୍ୟ ସ୍ଥାୟୀ ଭାବେ ବନ୍ଦ କରାଯାଇଛି ।
ସୂଚନାନୁଯାୟୀ, କଟକ ଜିଲ୍ଲା ଆରଡବ୍ଲୁ୍ୟଏସଏସ ଡିଭିଜନ-୨ର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବରାମ ବିଶାଲଙ୍କୁ ଦୁର୍ନୀତି ମାମଲାରେ ଗିରଫ କରିବା ସହ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି । କଳାହାଣ୍ଡି ଜିଲ୍ଲା ସଦର ବ୍ଲକର ପୂର୍ବତନ ବିଆଇଡି ତଥା ଅବସରପ୍ରାପ୍ତ ଓଏ ଅଫିସର ଗଣ୍ଡରାମ ଖମାରୀ, ମାଲକାନଗିରି ଜିଲ୍ଲାର ପୂର୍ବତନ ମୃତିକା ସଂରକ୍ଷଣ ଅଧିକାରୀ ଦଶରଥୀ ତ୍ରିପାଠୀ, ମୟୂରଭଞ୍ଜ ଜିଲ୍ଲା ଉଦଳାର ପୂର୍ବତନ ସାମାଜିକ ଶିକ୍ଷା ଅଧିକାରୀ ଆନନ୍ଦ ଚନ୍ଦ୍ର ନାୟକ, ନୟାଗଡ ଜିଲ୍ଲା ଚାନ୍ଦପୁରର ପୂର୍ବତନ ଡିଏମ ଏସ୍ ଏନ୍ ଅଧୀକ୍ଷକ ଡାକ୍ତର ସୁରେନ୍ଦ୍ର ନାଥପତି ଓ ଉଦୟଗିରିର ପୂର୍ବତନ ସହକାରୀ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ଗୌଡ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନସନ ଓ ଗ୍ରାଚୁଇଟି ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ନବରଙ୍ଗପୁର ଜିଲ୍ଲା ଉମରକୋଟର ପୂର୍ବତନ ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ନାଏକ, ସୁନ୍ଦରଗଡ ଜିଲ୍ଲା ସ୍ଥାନୀୟ ପାଂଠି ଅଡିଟ୍ ବିଭାଗର ପୂର୍ବତନ ଅଡିଟର ସୁଶୀଲ କୁମାର ମେହେର ଓ ବରଗଡ ଜିଲ୍ଲା ସୋହେଲା ଆରଡବ୍ଲୁ୍ୟଏସଏସର ପୂର୍ବତନ କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ରଭଞ୍ଜ ନାୟକଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ବହିଷ୍କାର କରାଯାଇଛି ।
ସୂଚନାନୁଯାୟୀ, ଏଯାବତ୍ ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଅଭିମୁଖ୍ୟ ଗ୍ରହଣ କରି ୧୯୭ ଜଣ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।