ହାଓଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଲାଗିଲା ନିଆଁ

ହାଓଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଶୁକ୍ରବାର ନିଆଁ ଲାଗିଯାଇଥିଲା

ସମସ୍ତ ଯାତ୍ରୀ ସୁରକ୍ଷିତ

ହାଇଦ୍ରାବାଦ: ହାଓଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଶୁକ୍ରବାର ନିଆଁ ଲାଗିଯାଇଥିଲା। ତେଲେଙ୍ଗାନାର ୟାଦ୍ରି ଭୁବନଗିରି ଜିଲ୍ଲାର ବୋମାଇପଲ୍ଲୀ ଓ ପାଗିଡିପଲ୍ଲୀ ଷ୍ଟେସନ ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣାରେ ୩ଟି ବଗିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଘଟିଥିବା ବଗିର ସମସ୍ତ ଯାତ୍ରୀଙ୍କୁ ଟ୍ରେନ୍ ଓ ବସ୍ ଯୋଗେ ପରବର୍ତ୍ତୀ ଷ୍ଟେସନକୁ ଅଣାଯାଇଛି। ନିଆଁ କୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଦୁର୍ଘଟଣାସ୍ଥଳ ହାଇଦ୍ରାବାଦଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଅବସ୍ଥିତ ।

ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ସିପିଆରଓ ସିଏଚ୍ ରାକେଶ କହିଛନ୍ତି ଯେ ଏସ୪, ଏସ୫, ଏସ୬ ନାମକ ତିନୋଟି ବଗିରେ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ଏଥିରେ କେହି ମୃତାହତ ହୋଇନାହାନ୍ତି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।