ଏସସି/ଏସଟି ଛାତ୍ରଛାତ୍ରୀଙ୍କୁ ୫୦,୦୦୦ ଲେଖାଏଁ ଆର୍ଥିକ ସହାୟତା: ମୁଖ୍ୟମନ୍ତ୍ରୀ

ରାଜ୍ୟର ସରକାରୀ ଅନୁଷ୍ଠାନରେ ସାଧାରଣ ଡିଗ୍ରୀ ପାଠ୍ୟକ୍ରମରେ ପଢ଼ୁଥିବା ଏସଟି/ଏସସି ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର

‘ଜନଜାତି ଉପଦେଷ୍ଟା ପରିଷଦ ବୈଠକ’ ଅନୁଷ୍ଠିତ

ଭୁବନେଶ୍ବର: ଚଳିତ ବର୍ଷଠାରୁ ରାଜ୍ୟର ଯେକୌଣସି ସରକାରୀ ଅନୁଷ୍ଠାନରେ ସାଧାରଣ ଡିଗ୍ରୀ ପାଠ୍ୟକ୍ରମରେ ପଢ଼ୁଥିବା ଗରିବ ଶ୍ରେଣୀର ଅଭାବୀ ଏସଟି/ଏସସି ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା ନେଇଛନ୍ତି। ଏହା ସହ ଅନୁସୂଚିତ ଓ ଜନଜାତିମାନଙ୍କର ଜଙ୍ଗଲ ଜମିରେ ରହିବା ପାଇଁ ‘ମୋ ଜଙ୍ଗଲ ଜମି ଯୋଜନା’ ଆରମ୍ଭ କରାଯାଇଛି। ମଙ୍ଗଳବାର ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି “ମୋ ସରକାର ଆମ ଆଦିବାସୀ ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ଶିକ୍ଷାଗତ ଆବଶ୍ୟକତାକୁ ସାକାର କରିବା ପାଇଁ ନିରନ୍ତର ହସ୍ତକ୍ଷେପ କରୁଛନ୍ତି। ଶିକ୍ଷା, ଜୀବିକା ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ଉପରେ ଆମର ପ୍ରଧାନ ଫୋକସ୍। ଆଦିବାସୀ ସଂସ୍କୃତି ଓ ପରମ୍ପରା, ଐତିହ୍ୟ ଓ ପରିଚୟକୁ ପ୍ରୋତ୍ସାହନ, ସୁରକ୍ଷା ଓ ସଂରକ୍ଷଣ ପାଇଁ ତାଙ୍କ ସରକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ୨୩ଟି ଜିଲ୍ଲାର ୧୭୨ଟି ବ୍ଲକରେ ବିସ୍ତାର କରାଯାଇଛି, ଯେଉଁଥିରେ ୮୪ ଲକ୍ଷରୁ ଅଧିକ ଆଦିବାସୀ ଲୋକ ସାମିଲ ହୋଇଛନ୍ତି। ସେହିପରି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଆବାସିକ ସୁବିଧା ଯୋଗାଇବାରେ ଓଡ଼ିଶା ଅନ୍ୟତମ ଅଗ୍ରଣୀ ରାଜ୍ୟ। ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ୧୭୩୫ଟି ବିଦ୍ୟାଳୟରେ ୪.୨ ଲକ୍ଷ ପରିବାରର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ସୁବିଧା ଉପଲବ୍ଧ ରହିଛି। ପାଠ ପଢିବାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ଯେକୌଣସି ସରକାରୀ ଅନୁଷ୍ଠାନରେ ସାଧାରଣ ଡିଗ୍ରୀ ପାଠ୍ୟକ୍ରମରେ ପଢ଼ୁଥିବା ଗରିବ ଶ୍ରେଣୀର ଅଭାବୀ ଏସଟି/ଏସସି ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହା ସହ ସମସ୍ତ ଯୋଗ୍ୟ ଅନୁସୂଚିତ ଜନଜାତି ବନବାସିନ୍ଦାଙ୍କୁ ଜଙ୍ଗଲ ଜମିରେ ରହିବା ଓ ରହିବାର ଅଧିକାର ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଏକ ନୂତନ ଯୋଜନା ‘ମୋ ଜଙ୍ଗଲ ଜମି ଯୋଜନା’ ଆରମ୍ଭ କରିଛନ୍ତି। ଏହା ଦ୍ୱାରା ଜଙ୍ଗଲ ଜମି ଉପରେ ଗୋଷ୍ଠୀ ଅଧିକାରର ସ୍ୱୀକୃତି ସୁନିଶ୍ଚିତ ହେବ” ବୋଲି ସେ କହିଛନ୍ତି।