ଏବର୍ଷ ବି ହେବନି କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର : ଏବର୍ଷ ବି କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। କ୍ୟାମ୍ପସରେ ନେତା ବଛା ହେବେନି। ବରଂ ଯେଉଁଭଳି ପାଠପଢ଼ା ଚାଲିଛି ସେମିତି ଜାରି ରହିବ। ଅଗଷ୍ଟ ମାସରୁ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ଜୁଲାଇ ଶେଷ ସପ୍ତାହ ସୁଦ୍ଧା ସ୍ନାତକୋତ୍ତର ସେମିଷ୍ଟର ପରୀକ୍ଷା ଶେଷ କରିବାକୁ କୁହାଯାଇଛି। କରୋନା ସମୟରେ ପ୍ରଭାବିତ ହୋଇଥିବା ପାଠପଢ଼ାରୁ ମୁକୁଳି କ୍ୟାମ୍ପସର ସ୍ଥିତି ଯେପରି ପୂର୍ବବତଃ ଜାରି ରହିବ ତାହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ହୋଇଛି।

ସୂଚନା ଅନୁସାରେ,ବିଜୁ ଛାତ୍ର ଜନତା ଦଳ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ନାହିଁ। ଗତ ସପ୍ତାହରେ ଏକାଠି ହୋଇଥିବା କିଛି ନେତା ନିର୍ବାଚନ ନ କରିବାକୁ ବିଜେଡିର ବରିଷ୍ଠ ନେତାମାନଙ୍କ ନିକଟରେ ମତ ପ୍ରକାଶ କରିଥିଲେ। ସେମାନଙ୍କ କହିବା କଥା ହେଉଛି ଛାତ୍ର ସଂସଦ ନିର୍ବାଚନ କରାଗଲେ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେବା ସହ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ମନାନ୍ତର, ମତାନ୍ତର ସୃଷ୍ଟି ହେଉଛି। ଛାତ୍ରମାନେ ଅବାଟକୁ ଚାଲି ଯାଉଛନ୍ତି।

ହଣାକଟା, ବୋମା ମାଡ଼ ପରି ଘଟଣା ବିଭିନ୍ନ କ୍ୟାମ୍ପସରେ ଦେଖିବାକୁ ମିଳୁଛି। ପାଖାପାଖି ଦେଢ଼ ମାସ ଯାଏ ପାଠପଢ଼ା ପ୍ରଭାବିତ ହେଉଛି। ପିଲା କ୍ଲାସ ଆସୁନାହାନ୍ତି। ବହୁ ଛାତ୍ରଛାତ୍ରୀ ସଙ୍ଗଠନରୁ ଦୂରେଇ ଯାଉଛନ୍ତି। ଯାହାକି ଆଗକୁ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ଉପରେ ପ୍ରଭାବ ପକାଇପାରେ। ତେଣୁ ନିର୍ବାଚନ ନ କରିବାକୁ ପ୍ରସ୍ତାବ ଦେଇଥିଲେ।