ମାଲକାନଗିରିରେ ଭୂସ୍ଖଳନ: ୧୯ ଗାଁ ବିଚ୍ଛିନ୍ନ
ମାଲକାନଗିରି ଜିଲ୍ଲାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଗୁରୁବାର ବଡ଼ ଧରଣର ଭୂସ୍ଖଳନ ଘଟି ୧୯ଟି ଗାଁ ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ହୋଇଯାଇଛି।
ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଗୁରୁବାର ବଡ଼ ଧରଣର ଭୂସ୍ଖଳନ ଘଟି ୧୯ଟି ଗାଁ ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ହୋଇଯାଇଛି। ଆଜି ପ୍ରବଳ ବର୍ଷା ଯୋଗୁଁ ଖଇରପୁର ବ୍ଲକ ଓରାଙ୍ଗିରୁ ବୟାପଡ଼ା ଘାଟ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ସହ ଏହି ଅଞ୍ଚଳରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ଵ ଗ୍ରାମବାସୀ ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ହୋଇଛନ୍ତି। ଦେଶୀ ଡଙ୍ଗାରେ ଚିତ୍ରକୁଣ୍ଡା ଜଳଭଣ୍ଡାର ଅତିକ୍ରମ କରିବା ହିଁ ମୁଖ୍ୟ ରାସ୍ତାକୁ ଯିବାର ଏକମାତ୍ର ମାଧ୍ୟମ। ଯାହା ଫଳରେ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପକ୍ଷରେ ଲଗାଣ ବର୍ଷାରେ ତଳିଆ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହେବା ସହ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ପ୍ରଭାବିତ ଅଞ୍ଚଳର ସମସ୍ତ ଲୋକଙ୍କୁ ଉଚ୍ଚ ସ୍ଥାନକୁ ନେବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ମାଲକାନଗିରି ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।