ରାଜ୍ୟରେ ପ୍ରତିଷ୍ଠା ହେଲା ଚେସ୍ ପ୍ରଶିକ୍ଷଣ ଏକାଡେମୀ ‘ପ୍ରୋ-ଚେସ୍ -ଟା’

ଅନ୍ତର୍ଜାତୀୟ ଚେସ୍ ଦିବସ ଅବସରରେ ଆଜି ଭୁବନେଶ୍ୱରରେ ବୃତ୍ତିଗତ ଚେସ୍ ଟ୍ରେନିଂ ଏକାଡେମୀ 'ପ୍ରୋ-ଚେସ୍-ଟା' ଉଦଘାଟନ କରିଛନ୍ତି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା।

ପଦ୍ମିନୀ ରାଉତଙ୍କୁ ୬୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ

ଭୁବନେଶ୍ବର: ଅନ୍ତର୍ଜାତୀୟ ଚେସ୍ ଦିବସ ଅବସରରେ ଆଜି ଭୁବନେଶ୍ୱରରେ ବୃତ୍ତିଗତ ଚେସ୍ ଟ୍ରେନିଂ ଏକାଡେମୀ ‘ପ୍ରୋ-ଚେସ୍-ଟା’ ଉଦଘାଟନ କରିଛନ୍ତି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା। ଏହା ରାଜ୍ୟର ପ୍ରଥମ ଚେସ୍ ଏକାଡେମୀ। ସର୍ବଭାରତୀୟ ଚେସ୍ ମହାସଂଘ ଓ ଓଡ଼ିଶା ଚେସ୍ ଆସୋସିଏସନ୍ ଏ ଦିଗରେ ଅତି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ୪୯ତମ ଜାତୀୟ ମହିଳା ଚେସ୍ ଚାମ୍ପିୟନଶିପରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଜାତୀୟ ମହିଳା ଚେସ୍ ଚାମ୍ପିୟନ ପଦ୍ମିନୀ ରାଉତଙ୍କୁ ୬୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

 

ଉଦଘାଟନୀ ଉତ୍ସବରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ରୀଡ଼ାମନ୍ତ୍ରୀ କହିଛନ୍ତି, ପ୍ରଫେସନାଲ ଟ୍ରେନିଂ ଚେସ୍ ଏକାଡେମୀକୁ ଉଦଘାଟନ କରି ମୁଁ ଆନନ୍ଦିତ। ଚେସକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ପୂର୍ବରୁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଛୁ। ଏହା ସହିତ ଆହୁରି ଅନେକ ବିଭାଗରେ ଏଭଳି କ୍ରୀଡା ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।

ପଦ୍ମିନୀ ରାଉତ କହିଛନ୍ତି, ଓଡିଶାରେ ଚେସ୍ ପ୍ରଶିକ୍ଷଣ ଏକାଡେମୀ ପ୍ରତିଷ୍ଠା କରିବା ଦ୍ୱାରା ଅନେକ ପିଲା ଚେସରେ ନିଜର ଉତ୍କର୍ଷତା ହାସଲ କରିବେ। ଆଜି ମୋତେ ସମ୍ବର୍ଦ୍ଧିତ କରିବା ସହ ରାଜ୍ୟର ଆହୁରି ଅନେକ ପିଲାମାନଙ୍କୁ ଚେସ୍ ଖେଳରେ ପାରଦର୍ଶିତା ହାସଲ ପାଇଁ ଏକ ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଉଛି।

ସର୍ବଭାରତୀୟ ଚେସ୍ ମହାସଂଘର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି ଓଡ଼ିଶା ସରକାରଙ୍କ ଉଲ୍ଲେଖନୀୟ ସହଯୋଗ ଓ ବୃତ୍ତିଗତ ଚେସ୍ ପ୍ରଶିକ୍ଷଣ ଏକାଡେମୀ ପ୍ରତିଷ୍ଠା ପାଇଁ ପ୍ରଶଂସା କରିବା ସହ କହିଛନ୍ତି ଏହି ଚେସ୍ ଏକାଡେମୀ ରାଜ୍ୟର ଛାତ୍ରଛାତ୍ରୀ, ଅଭିଭାବକ ଓ ଚେସ୍ ପ୍ରେମୀମାନଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି କରିଛି।

ଆନ୍ତର୍ଜାତିକ ମାଷ୍ଟର ସତ୍ୟପ୍ରଜ୍ଞାନ ସ୍ୱୟଂସୁ କହିଛନ୍ତି, ମୋର ସମଗ୍ର ବୃତ୍ତିଗତ କ୍ୟାରିୟରରେ ମୁଁ କେବେ ବି ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ପାଠାଗାର ଥିବା ଏକ ଅତ୍ୟାଧୁନିକ ଏକାଡେମୀ ଦେଖିନାହିଁ। ଓଡିଶାରେ ଥିବା ପ୍ରତିଭାମାନଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ସରକାର ମୋତେ ଦାୟିତ୍ୱ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବି।

ଏହି ଅନୁଷ୍ଠାନରେ ପିଲାମାନେ ଉତ୍ତମ ପ୍ରଶିକ୍ଷକଙ୍କ ସହ ଇଣ୍ଟରନ୍ୟାସନାଲ ମାଷ୍ଟର ସତ୍ୟପ୍ରଜ୍ଞାଙ୍କଠାରୁ ଚେସର ପ୍ରଶିକ୍ଷଣ ନେବେ, ଯାହାକି ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ସମ୍ପୂର୍ଣ୍ଣ ନୂତନ ସ୍ତରକୁ ବିକଶିତ କରିବାରେ ସାହାଯ୍ୟ ହେବ। ଉଦଘାଟନୀ ଉତ୍ସବରେ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, କ୍ରୀଡ଼ା ଓ ଯୁବସେବା ବିଭାଗଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ସର୍ବଭାରତୀୟ ଚେସ୍ ମହାସଂଘର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ଅଖିଳ ଓଡ଼ିଶା ଚେସ୍ ସଂଘର ସମ୍ମାନିତ ସମ୍ପାଦକ ଦେବବ୍ରତ ଧଟ୍ଟା ଓ ଅନ୍ତର୍ଜାତୀୟ ମାଷ୍ଟର ସତ୍ୟପ୍ରଜ୍ଞା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।