ସାପ କାମୁଡାରେ ୩ ଛାତ୍ର ମୃତ, ଜଣେ ଗୁରୁତର

କେନ୍ଦୁଝରରେ ଏକ କୋଚିଂ ସେଂଟରରେ ସାପ କାମୁଡାରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଛାତ୍ର ଗୁରୁତର ଅଛନ୍ତି ।

ଆବାସିକ କୋଚିଂ ସେଂଟରରେ ଶୋଇଥିବା ବେଳେ ଅଘଟଣ

 

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନିଶ୍ଚିତାପୁର ଅଂଚଳରେ ଥିବା ଏକ କୋଚିଂ ସେଂଟରରେ ରାତିରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡାରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଛାତ୍ର ଗୁରୁତର ଅଛନ୍ତି ।
ସୂଚନାନୁସାରେ, ନିଶ୍ଚିତାପୁରରେ ଥିବା ଏକ ଆବାସିକ କୋଚିଂ ସେଂଟରରେ ୬୦ ଜଣ ଛାତ୍ରଛାତ୍ରୀ ରହୁଥିଲେ । କିନ୍ତୁ ଗତ କାଲି ରାତିରେ ଶୋଇଥିବା ଅବସ୍ଥାରେ ସାପ କାମୁଡିବାରୁ ୨ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି । ସାପ କାମୁଡିଥିବା ସନ୍ଦେହରେ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ମୃତ ଛାତ୍ରଛାତୀଙ୍କ ଅଭିଭାବକମାନେ କହିଛନ୍ତି ସେମାନଙ୍କୁ କୋଚିଂ ସେଂଟରରୁ ଫୋନ କରି ମେଡିକାଲକୁ ଯିବାକୁ କୁହାଯାଇଥିଲା, କିନ୍ତୁ ସେଠାରେ ଯାଇ ଦେଖିଥିଲେ ଯେ, ସେମାନଙ୍କ ପିଲାମାନଙ୍କର ମୃତ୍ୟୁ ଘଟିଛି । ଏଯାବତ୍ କୋଚିଂ ସେଂଟରର କର୍ତୃପକ୍ଷଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।