ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତିରେ ଲିପ୍ତ ଦେବଗଡ ବିଧାୟକ: ବିଜେଡି

ଆଜି ବିଜେଡି ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ବିଜେପିର ଦେବଗଡ ବିଧାୟକଙ୍କ ଉପରେ ପ୍ରବଳ ବର୍ଷିଛି।

ବିଜେପି ବିଧାୟକଙ୍କ ପାଇଁ ଦେବଗଡ଼ବାସୀ ଲଜ୍ଜିତ: ବିଜେଡି

ଭୁବନେଶ୍ୱର: ନିର୍ବାଚନରେ ବିଜୟୀ ହେଲେ ଦେବଗଡ଼ବାସୀଙ୍କ ସେବା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଜେପି ନେତା ସୁବାସ ପାଣିଗ୍ରାହୀ । ତାଙ୍କ କଥାରେ ଭରସା କରି ୨୦୧୯ ସାଧାରଣ ନିର୍ବାଚନରେ ଦେବଗଡ଼ବାସୀ ମଧ୍ୟ ତାଙ୍କୁ ତୃତୀୟ ଥର ପାଇଁ ବିଧାୟକ କରିଥିଲେ। କିନ୍ତୁ ବିଧାୟକ ହେବା ପରଠୁ ସେ ଦେବଗଡ଼ବାସୀଙ୍କ ସେବା କରିବେ କ’ଣ, ଗୁଣ୍ଡାଗର୍ଦ୍ଦି ଓ ପ୍ରିୟାପ୍ରୀତି ତୋଷଣରେ ମାତିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଶ୍ରୀ ପାଣିଗ୍ରାହୀ ତାଙ୍କ ବିଧାୟକ ଅନୁଦାନ ପାଣ୍ଠିରେ ବିଜେପିର ଜଣେ କର୍ମୀ ତଥା ତାଙ୍କର ଖାସ୍ ଅନୁଗତଙ୍କ ଘରର ପାଚେରି ନିର୍ମାଣ କରିବା ଘଟଣା ପଦାକୁ ଆସିବା ପରେ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଏହାକୁ ନେଇ ବର୍ଷିଛି ବିଜେଡି । ବିଧାୟକଙ୍କ ଏଭଳି କଳା କାରନାମା ପାଇଁ ଦେବଗଡ଼ବାସୀ ଆଜି ଲଜ୍ଜା ଅନୁଭବ କରୁଥିବା ଦର୍ଶାଇ ବିଧାୟକ ଓ ତାଙ୍କ ଅନୁଗତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ବିଜେପି ଉପରେ ବର୍ଷି କହିଛି, ବିଧାୟକ ଶ୍ରୀ ପାଣିଗ୍ରାହୀ ଦେବଗଡ଼ ମହିଳା ମହାବିଦ୍ୟାଳୟର ପାଚେରି ନିର୍ମାଣ ନିମନ୍ତେ ତାଙ୍କ ପାଣ୍ଠିରୁ ମଞ୍ଜୁର କରିଥିବା ୩ ଲକ୍ଷ ଟଙ୍କାର ଅନୁଦାନ ରାଶିରେ ତାଙ୍କର ଖାସ୍ ଅନୁଗତ ଭୁକାବେଡ଼ା ଗ୍ରାମର ଅଧିବାସୀ ଶିକ୍ଷକ ସୌଭାଗ୍ୟ ପାତ୍ରଙ୍କ ପାଚେରି ନିର୍ମାଣ ହୋଇଛି। ଏହି ୩ ଲକ୍ଷ ଟଙ୍କା ଅନୁଦାନରେ ମହିଳା ମହାବିଦ୍ୟାଳୟର ପାଚେରି ନିର୍ମାଣ ହୋଇଥିବା ନେଇ ସୌଭାଗ୍ୟ ପାତ୍ରଙ୍କ ପାଚେରିରେ ସ୍ପଷ୍ଟ ଭାବେ ଲେଖା ଯାଇଥିବାର ଖୋଦ ଜଣେ ବିଜେପି କର୍ମୀ ହିଁ ଏକଥା ଲୋକଲୋଚନକୁ ଆଣିଥିଲେ । ଗଣମାଧ୍ୟମରେ ଏହି ସମ୍ପର୍କିତ ଖବର ପ୍ରସାରିତ ହେବା ପରେ ଅନିୟମିତତା ଧରା ପଡ଼ିଯିବା ଭୟରେ ବିଧାୟକଙ୍କ ନିର୍ଦ୍ଦେଶରେ ତରବରିଆ ଭାବେ ପାଚେରିରେ ଲେଖା ଯାଇଥିବା ସୂଚନାକୁ ଲିଭାଇ ଦିଆଯାଇ ବିଧାୟକଙ୍କ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁଦାନରେ ସିସି ରୋଡ଼ ଓ ଗାର୍ଡ଼ ୱାଲ ନିର୍ମାଣ ହୋଇଛି ବୋଲି ଲେଖା ଯାଇଥିଲା ବୋଲି ବିଜେଡି କହିଛି।

ସେହିପରି ଦେବଗଡ଼ ସହରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ମାଣାଧୀନ ପାଚେରିକୁ ଭାଙ୍ଗିବା ସହ ଏସ୍‌ଏଚ୍‌ଜି ମା’ମାନଙ୍କୁ ଧମକଚମକ ଦେଇ ଅପମାନିତ କରିଥିଲେ । ତେଣୁ ପ୍ରିୟାପ୍ରୀତି ତୋଷଣ କରି ସରକାରୀ ଅର୍ଥର ହରିଲୁଟ୍ କରୁଥିବା ଦେବଗଡ଼ ବିଧାୟକ ଶ୍ରୀ ସୁବାସ ପାଣିଗ୍ରାହୀଙ୍କ ବିଧାୟକ ପାଣ୍ଠିର ଗତ ଚାରି ବର୍ଷ ହେଲା ଯେଉଁ ଅପବ୍ୟବହାର ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ବିଧାୟକଙ୍କ ବିରୋଧରେ ଏବଂ ସରକାରୀ ଅର୍ଥରେ ନିଜ ଘରର ପାଚେରି ନିର୍ମାଣ କରିଥିବା ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡିର ଦେବଗଡ ଜିଲ୍ଲା ସଭାପତି ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଦୃଢ଼ ଦାବି କରିଥିଲେ ।

ଦେବଗଡ଼ ବିଧାୟକଙ୍କ ଅସଂଖ୍ୟ କଳା କାରନାମାର ଏହା କେବଳ ମାତ୍ର ଏକ ନମୁନା ବୋଲି ଦର୍ଶାଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ବିଜେପିର ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ଓଡ଼ିଶା ବିଜେପିର ସବୁ ନେତା ଓ ବିଧାୟକମାନଙ୍କ ଚରିତ୍ର କ’ଣ ଏମିତି କଳଙ୍କିତ? ତିନି ତିନି ଥର ବିଧାୟକ ହୋଇଥିବା ବିଜେପିର ଜଣେ ପୁରୁଖା ନେତା ଶ୍ରୀ ପାଣିଗ୍ରାହୀ ଜାଣିଶୁଣି ଏତେ ବଡ଼ ଅନିୟମିତତା କଲେ କିପରି? ସରକାରୀ ଅର୍ଥକୁ ହରିଲୁଟ୍ କରିବା ପାଇଁ ନିଜ ଦଳୀୟ କର୍ମୀ ତଥା ଅନୁଗତଙ୍କ ହାତକୁ ଟେକି ଦେବା ପୂର୍ବରୁ ଥରେ ନିଜ ପଦ ମର୍ଯ୍ୟାଦା କଥା ଭାବିଲେ ନାହିଁ କେମିତି? ଏଭଳି ଅନିୟମିତତା ଓ ପ୍ରିୟାପ୍ରୀତି ତୋଷଣ କରିବାରେ ମାନ୍ୟବର ବିଧାୟକଙ୍କର ନିଶ୍ଚୟ ବହୁତ ଅଭିଜ୍ଞତା ରହିଛି । ସବୁ କଥାରେ ନୈତିକତାର ଭାଷଣ ଦେଉଥିବା ବିଜେପି ନେତାମାନେ ଦେବଗଡ଼ ବିଧାୟକଙ୍କ ହାତପାଣ୍ଠିର ଏଭଳି ଅପବ୍ୟବହାର ହୋଇଥିବା ଜାଣିବା ପରେ ମଧ୍ୟ ଏଯାଏ ଚୁପ୍ ବସିଛନ୍ତି କାହିଁକି? ବିଧାୟକଙ୍କ ଦୁର୍ନୀତିର ତଦନ୍ତ ଲାଗି ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଯାଉନି କାହିଁକି? ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଦାସ।

ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡି କର୍ପୋରେଟର ତଥା ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଅମରେଶ ଜେନା ମଧ୍ୟ ଉପସ୍ଥିତ ଥିଲେ ।