ନବ ଦାସ ହତ୍ୟା ମାମଲାକୁ ନେଇ ହୀନ ରାଜନୀତି କରୁଛି ବିଜେପି: ବିଜେଡି

ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ନବ ଦାସ ହତ୍ୟା ମାମଲାରେ ବିଜେପିର ବୟାନର ପ୍ରତିକ୍ରିୟା ରଖିଛନ୍ତି।

ମିଥ୍ୟା ଓ ଶସ୍ତା ରାଜନୀତିକୁ ପସନ୍ଦ କରନ୍ତି ନାହିଁ ଓଡିଶାବାସୀ: ବିଜେଡି

ଭୁବନେଶ୍ୱର, ୨୯/୦୭/୨୦୨୩: ଓଡିଶା ବିଜେପି ନେତାଙ୍କ ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ସେମାନେ ପ୍ରତି ୧୫ ଦିନରେ ସମ୍ବେଦନଶୀଳ ବିଷୟ ଉପରେ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟମାନ ଦିଅନ୍ତି। ଏଥର ସେମାନେ ଶ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ଏଥିପାଇଁ ବାଛିଥିବା କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା।ନବ ଦାସ ହତ୍ୟା ମାମଲାରେ ବିଜେପି ଦେଉଥିବା ମନ୍ତବ୍ୟର ପ୍ରତିକ୍ରିୟା ରଖି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶା ବିଜେପିର ଏହି ନେତାମାନେ ହୀନ ଉଦ୍ଦେଶ୍ୟ ରଖି ସମ୍ବେଦନଶୀଳ ମାମଲାଗୁଡ଼ିକୁ ଅଧିକ ସ୍ପର୍ଶକାତର କରିବା ପାଇଁ ତାହା ଉପରେ ମନଗଢା ଏବଂ ମିଥ୍ୟା ବିବୃତ୍ତିମାନ ଦେଉଛନ୍ତି ।
ଯଦି ଓଡିଶା ବିଜେପି ନେତାଙ୍କ ପାଖରେ ଏହା ଉପରେ କିଛି କହିବାକୁ ଅଛି, ତେବେ ସେମାନେ କାହିଁକି ମାନ୍ୟବର ଅଦାଲତଙ୍କ ନିକଟକୁ ଯାଇ ଏହି ମାମଲାରେ ଯାହା କହୁଛନ୍ତି ତାହା ପ୍ରମାଣ ସହିତ ଅଦାଲତରେ ରଖୁ ନାହାନ୍ତି ? ଓଡିଶାର ଲୋକମାନେ ଏଭଳି ନକାରାତ୍ମକ, ଶସ୍ତା ଏବଂ କୁତ୍ସିତ ରାଜନୀତିକୁ ସବୁବେଳେ ନାପସନ୍ଦ କରିଥାନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।