ଦୁର୍ଗମ ଅଞ୍ଚଳର ଦୁର୍ଦ୍ଦଶା

ନବରଙ୍ଗପୁର ଜିଲ୍ଲାରେ ୩ଟି ଗ୍ରାମରେ ମ୍ୟାଲେରିଆ ରୋଗୀଙ୍କ ଚିକିତ୍ସା ପାଇଁ ୯ କିଲୋମିଟର ଚାଲି ଚାଲି ଯାଇଛନ୍ତି ସ୍ୱାସ୍ଥ୍ୟକର୍ମୀ।

ଗାଁକୁ ନାହିଁ ରାସ୍ତା; ୯ କି.ମି. ଚାଲିଲେ ସ୍ୱାସ୍ଥ୍ୟକର୍ମୀ

ନବରଙ୍ଗପୁର: ଗାଁକୁ ରାସ୍ତା ନଥିବାରୁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। ରାଜଧାନୀର ଚକମକ ଆଲୋକରେ ହଜି ଯାଉଛି ଦୁର୍ଗମ ଅଞ୍ଚଳର ଅନ୍ଧାର। ଗାଁକୁ ରାସ୍ତା ନଥିବାରୁ ନା ଲୋକମାନେ ମେଡିକାଲ ଯାଇ ପାରୁଛନ୍ତି ନା ସ୍ୱାସ୍ଥ୍ୟକର୍ମୀମାନେ ଚିକିତ୍ସା ପାଇଁ ରୋଗୀଙ୍କ ପାଖକୁ ଯାଇ ପାରୁଛନ୍ତି। କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ଦେଖାଯାଇଛି କିଛି ଅଲଗା ଘଟଣା। ରୋଗୀଙ୍କ ଚିକିତ୍ସା ପାଇଁ ୯ କିଲୋମିଟର ଚାଲି ଚାଲି ଯାଇଛନ୍ତି ସ୍ୱାସ୍ଥ୍ୟକର୍ମୀ।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କିଛି ଗ୍ରାମବାସୀ ମ୍ୟାଲେରିଆରେ ପୀଡ଼ିତ ଥିଲେ। ତେଣୁ ଗ୍ରାମବାସୀଙ୍କ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକର୍ମୀ ଓ କର୍ମଚାରୀଙ୍କୁ ୯ କିଲୋମିଟର ଚାଲିଚାଲି ଯିବାକୁ ପଡ଼ିଛି। ବ୍ଲକ ଅଧୀନ ସରଗିପାଣି, ମରାଘାଟ ଓ ନନ୍ଦନଚୁଆ ଗ୍ରାମବାସୀ ମ୍ୟାଲେରିଆରେ ପୀଡ଼ିତ ଅଛନ୍ତି। ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତର ସନ୍ତୋଷ ପ୍ରଧାନ, ଏସ୍ଏଚ୍ଓ ବିଶ୍ବଜିତ ମହାନ୍ତି, ଦୀପ୍ତି ରଞ୍ଜନ ସେଠୀ ଓ ମହିଳା ସ୍ବାସ୍ଥ୍ୟକର୍ମୀ ଜାନକୀ ଟାକିରିଙ୍କୁ ନେଇ ଗଠିତ ଏକ ସ୍ବାସ୍ଥ୍ୟ ଟିମ୍ ଏକ ଗାଡ଼ି ଯୋଗେ ଡାକ୍ତରଖାନାରୁ ଗାଁକୁ ଯାଇଥିଲେ। ତେବେ ସେମାନଙ୍କ ଗାଡ଼ି କେବଳ ଫୁଲଝରି ଗାଁ ପର୍ଯ୍ୟନ୍ତ ହିଁ ଆସିପାରିଥିଲା। ଆଗକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ସୁବିଧା ନଥିବାରୁ ଡାକ୍ତରୀଦଳ ବହୁ କଷ୍ଟରେ ୩ଟି ଗାଁକୁ ଯିବା ପାଇଁ ସ୍ବାସ୍ଥ୍ୟ ଟିମ୍ ବାଧ୍ୟ ହୋଇ ୯ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ସେଠାରେ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେଇଥିଲେ।