ବଦଳିଲା ଯୁକ୍ତ ଦୁଇ ସିଲାବସ୍

ସିବିଏସ୍ଇ ଅନୁଯାୟୀ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟକ୍ରମକୁ ପରିବର୍ତ୍ତନ କଲା ଓଡ଼ିଶା ସିଏଚ୍ଏସ୍ଇ

ସିଏଚ୍ଏସଇ ଛାତ୍ରଛାତ୍ରୀ ପଢିବେ ସିବିଏସ୍ଇ ପାଠ୍ୟକ୍ରମ

କଟକ: ବଦଳିଲା ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମ ସିଲାବସ୍। ୨୦୨୩-୨୪ ଶିକ୍ଷାବର୍ଷରୁ ଯୁକ୍ତ ୨ ବିଜ୍ଞାନ ପାଠ୍ୟକ୍ରମ ଓ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି ବୋଲି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଘୋଷଣା କରିଛି। ଏକାଡେମିକ କମିଟି ଓ ପରିଷଦର ଅନୁମୋଦନ ପାଇବା ପରେ ସିଏଚଏସଇ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରିଛି।

ବିଜ୍ଞପ୍ତି ଅନୁଯାୟୀ, ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବବିଜ୍ଞାନ ପାଠ୍ୟକ୍ରମ ସିବିଏସ୍ଇ ଢାଞ୍ଚା ଅନୁସାରେ ଉଚ୍ଚ ମାଧ୍ୟମିକ ପରିଷଦର ବାର୍ଷିକ ପରୀକ୍ଷା ୨୦୨୪ରେ ଲାଗୁ ହେବ। ସିବିଏସ୍ଇ ସିଲାବସର ନୂତନ ପାଠ୍ୟକ୍ରମ ସିଏଚଏସଇ ୱେବସାଇଟରେ ଉପଲବ୍ଧ ଅଛି: www. chseodisha.nic.in।

ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା, ୨୦୨୪ ପାଇଁ ବିଜ୍ଞାନ, କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ବିଭାଗର ଅନ୍ୟ ସମସ୍ତ ବିଷୟ ଅପରିବର୍ତ୍ତିତ ରହିବ। ତେବେ ୨୦୨୩-୨୪ ଶିକ୍ଷାବର୍ଷର ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଯେଉଁମାନେ ୨୦୨୪ରେ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଦେବେ ସେମାନେ ପୁରୁଣା ସିଏଚ୍ଏସ୍ଇ ପାଠ୍ୟକ୍ରମ ଅନୁସାରେ ପଢିବେ। ସେହିପରି ୨୦୨୪ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଦେବାକୁ ଯାଉଥିବା ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କ୍ୱାର୍ଟର ଶେଷ ପରୀକ୍ଷା (ତିନୋଟି ପରୀକ୍ଷା) ବଦଳରେ ଦୁଇଟି ପରୀକ୍ଷା କରାଯିବ। ଏହାବ୍ୟତୀତ କ୍ୱାଟର୍ଲି ପରୀକ୍ଷାକୁ ୨୦% ଓ ବାର୍ଷିକ ପରୀକ୍ଷା (ଉଭୟ ଥିଓରି ଓ ପ୍ରାକ୍ଟିକାଲରେ) କୁ ୮୦% ଗୁରୁତ୍ୱ ଦିଆଯିବ। ଉପରୋକ୍ତ ପରୀକ୍ଷା ଆୟୋଜନ ପାଇଁ ମାର୍ଗଦର୍ଶିକା ଏବଂ କାର୍ଯ୍ୟସୂଚୀ ପରିଷଦ ଦ୍ୱାରା ଠିକ୍ ସମୟରେ ଜାରି କରାଯିବ।