୨ ବର୍ଷରେ ୧୩ ଲକ୍ଷରୁ ଊର୍ଦ୍ଧ୍ବ ଝିଅ ଭାରତରୁ ନିଖୋଜ: ଏନସିଆରବି ରିପୋର୍ଟ

ଭାରତରୁ ୨୦୧୯ରୁ ୨୦୨୧ ମଧ୍ୟରେ ପ୍ରାୟ ୧୩ ଲକ୍ଷରୁ ଊର୍ଦ୍ଧ୍ବ ଝିଅ ନିଖୋଜ ଅଛନ୍ତି ବୋଲି ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟରେ ପ୍ରକାଶ ପାଇଛି

ଶୀର୍ଷରେ ମଧ୍ୟପ୍ରଦେଶ, ଓଡ଼ିଶା ଚତୁର୍ଥ ସ୍ଥାନରେ

ନୂଆଦିଲ୍ଲୀ: ଭାରତରୁ ୨୦୧୯ରୁ ୨୦୨୧ ମଧ୍ୟରେ ପ୍ରାୟ ୧୩ ଲକ୍ଷରୁ ଊର୍ଦ୍ଧ୍ବ ଝିଅ ନିଖୋଜ ଅଛନ୍ତି। ଏ ନେଇ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ସ୍ୱତନ୍ତ୍ର ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ରେ ଦାବି କରାଯାଇଛି ଯେ ଗତ ୨ ବର୍ଷ ମଧ୍ୟରେ ୧୩ ଲକ୍ଷରୁ ଅଧିକ ଝିଅ ଭାରତରୁ ନିଖୋଜ ହୋଇଛନ୍ତି। ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ମଧ୍ୟପ୍ରଦେଶର ବୋଲି ଜଣାପଡିଛି। ପଶ୍ଚିମବଙ୍ଗ ଦ୍ବିତୀୟ ସ୍ଥାନରେ ଥିବା ବେଳେ ମହାରାଷ୍ଟ୍ର ତୃତୀୟ ସ୍ଥାନରେ ଓ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ୨୦୧୯ରୁ ୨୦୨୧ ମଧ୍ୟରେ ୧୮ ବର୍ଷରୁ ଅଧିକ ବୟସର ୧୦,୬୧,୬୪୮ ଜଣ ମହିଳା ଏବଂ ଏହି ବୟସରୁ କମ୍ ବୟସର ୨,୫୧,୪୩୦ ଜଣ ଝିଅ ନିଖୋଜ ହୋଇଛନ୍ତି। ମଧ୍ୟପ୍ରଦେଶରେ ଏହି ଦୁଇ ବର୍ଷ ମଧ୍ୟରେ ୧,୬୦,୧୮୦ ଓ ୩୮,୨୩୪ ଜଣ ଝିଅ ନିଖୋଜ ହୋଇଛନ୍ତି। ପଶ୍ଚିମବଙ୍ଗରେ ୧,୫୬,୯୦୫ ଜଣ ମହିଳା ଓ ୩୬,୩୦୬ ଜଣ ବାଳିକା ନିଖୋଜ ଅଛନ୍ତି। ମହାରାଷ୍ଟ୍ରରେ ୧,୭୮,୪୦୦ ମହିଳା ନିଖୋଜ ଥିବା ବେଳେ ୧୩,୩୦୩ ଜଣ ଝିଅ ନିଖୋଜ ଅଛନ୍ତି। ଓଡ଼ିଶାରେ ଏହି ଦୁଇ ବର୍ଷରେ ୭୦,୨୨୨ ଜଣ ମହିଳା ଓ ୧୬,୬୪୯ ଜଣ ବାଳିକା ନିଖୋଜ ହୋଇଛନ୍ତି। ଛତିଶଗଡ଼ରେ ୪୯,୧୧୬ ଜଣ ମହିଳା ଓ ୧୦,୮୧୭ ଜଣ ନାବାଳିକା ନିଖୋଜ ଅଛନ୍ତି।