ବହୁଚର୍ଚ୍ଚିତ ହନିଟ୍ରାପ୍ ରାକେଟ୍: ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ

ଅର୍ଚ୍ଚନା ନାଗଙ୍କୁ ଆଜି ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ଅନ୍ୟ ମାମଲାରେ ଜେଲରେ ରହିବେ ଅର୍ଚ୍ଚନା

ଭୁବନେଶ୍ବର: ବହୁଚର୍ଚ୍ଚିତ ହନିଟ୍ରାପ୍ ଓ ବ୍ଲାକମେଲିଂ ରାକେଟର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ନାଗଙ୍କୁ ଆଜି ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି ଥାନାରେ ତାଙ୍କ ବିରୋଧରେ ଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି। କିନ୍ତୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ୱାରା ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଗିରଫ କରାଯାଇଥିବାରୁ ସେ ଜେଲରେ ରହିବେ।

ସୂଚନାନୁସାରେ, ଅର୍ଚ୍ଚନାଙ୍କ ନାମରେ ତିନୋଟି ମାମଲା ଥିବା ବେଳେ ୨ଟି ମାମଲାରେ ତାଙ୍କୁ ଜାମିନ ମଞ୍ଜୁର ହୋଇ ସାରିଛି। ହେଲେ ହନିଟ୍ରାପ ମାମଲାରେ ବେଆଇନ୍ ଆର୍ଥିକ କାରବାର ନେଇ ଇଡି ତରଫରୁ ହୋଇଥିବା ମାମଲାର ତଦନ୍ତ ଏବେ ବି ଚାଲିଛି। ଇଡି ତରଫରୁ ଚାଲିଥିବା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିନଥିବାରୁ ସେ ଜେଲରେ ରହିବେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅର୍ଚ୍ଚନା ଚାଲିଥିବା ତଦନ୍ତରେ ସହଯୋଗ କରିବେ। ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ କିମ୍ବା ତାଙ୍କ ବିଚାର ବିଷୟରେ ବାହାରେ କୌଣସି ମତାମତ ଦେବେ ନାହିଁ।