୧୫୭ ବର୍ଷରେ ଓଡ଼ିଆ ସାମ୍ବାଦିକତା

ଆଜି ଓଡିଆ ସାମ୍ବାଦିକତାକୁ ୧୫୭ ବର୍ଷ ପୂରିଛି।

ଓଡ଼ିଆ ସାମ୍ବାଦିକତାର ଇତିହାସ

ଉତ୍କଳ ଦୀପିକା ଓଡ଼ିଶାର ପ୍ରଥମ ମୁଦ୍ରିତ ଖବରକାଗଜ। ୧୮୬୬ ମସିହା ଅଗଷ୍ଟ ୪ ତାରିଖରେ ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ସହଯୋଗରେ ଆରମ୍ଭ ହୋଇଥିଲା ସାପ୍ତାହିକ ଖବରକାଗଜ। ତେଣୁ ଅଗଷ୍ଟ ୪ ତାରିଖକୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଏ। ଓଡ଼ିଆ ଭାଷାର ବିକାଶ ପାଇଁ ଭାରତର ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଗୋଟିଏ ପ୍ରଦେଶ ଅଧୀନକୁ ଆଣିବା ଅଭିଯାନରେ ଏହି ସାପ୍ତାହିକ ଗ୍ରହଣ କରିଥିଲା ପ୍ରମୁଖ ଭୂମିକା। ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଦୀର୍ଘ ବର୍ଷ ଧରି କଲମ ମୁନରେ ସେବା ଯୋଗାଉଥିବା ସାମ୍ବାଦିକତାକୁ ପୂରିଛି ୧୫୭ ବର୍ଷ।

ବିଚିତ୍ରାନନ୍ଦ ଦାସ ୧୮୬୬ ମସିହାରେ କଟକ ପ୍ରିଣ୍ଟିଂ ପ୍ରେସ୍ ପ୍ରତିଷ୍ଠା କରିଥିଲେ ଏବଂ ଗୌରୀ ଶଙ୍କର ରାୟଙ୍କ ସମ୍ପାଦନାରେ ନିର୍ମିତ ‘ଉତ୍କଳ ଦୀପିକା’ ସେଠାରୁ ପ୍ରକାଶ ପାଇଥିଲା। ଏହି ସାପ୍ତାହିକ ଖବରକାଗଜ ଓଡ଼ିଆ ଭାଷାର ବିକାଶ ପାଇଁ ଭାରତର ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳକୁ ଗୋଟିଏ ପ୍ରଦେଶ ଅଧୀନରେ ଆଣିବା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ଶିକ୍ଷାବିତ୍ ଓ ଲେଖକମାନେ ମତ ବ୍ୟକ୍ତ କରିଛନ୍ତି।

‘ଉତ୍କଳ ଦୀପିକା’ ପ୍ରଥମ ଓଡ଼ିଆ ଖବରକାଗଜ ଭାବେ ସ୍ୱୀକୃତି ପାଇଥିଲେ ହେଁ ସାଧୁ ସୁନ୍ଦର ଦାସଙ୍କ ଦ୍ୱାରା ପ୍ରକାଶିତ ‘କୁଜିବରା ପତ୍ରିକା’ର ପ୍ରକାଶନ ଏହା ପୂର୍ବରୁ ହୋଇଥିଲା। ୧୮୩୭ ମସିହାରେ ଏହାର ପ୍ରକାଶନ ଆରମ୍ଭ ହୋଇଥିଲା। ୧୮୬୬ ମସିହାର ଓଡ଼ିଶାର ପ୍ରଳୟଙ୍କରୀ ଦୁର୍ଭିକ୍ଷର ପାଞ୍ଚ ବର୍ଷ ପୂର୍ବରୁ ୧୮୬୧ ମସିହାରେ ବାଲେଶ୍ୱରରୁ ପ୍ରଥମ ଓଡ଼ିଆ ପତ୍ରିକା ‘ବୋଧ ଦାୟିନୀ’ ପ୍ରକାଶ ପାଇଥିଲା। ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ଓ ପ୍ରଶାସନିକ ତ୍ରୁଟିକୁ ଦର୍ଶାଇବା ଏହି ପତ୍ରିକାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଯେତେବେଳେ ଓଡ଼ିଶା ଭୟଙ୍କର ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିଲା, ସେତେବେଳେ ‘ଉତ୍କଳ ଦୀପିକା’ ଖବରକାଗଜ ଦ୍ୱାରା ଲୋକଙ୍କ ଦୁଃଖ ବିଷୟରେ ପତ୍ରିକାରେ ବିସ୍ତୃତ ଭାବରେ ପ୍ରକାଶ ପାଇଥିଲା।

୧୮୮୯ ମଧ୍ୟରେ ଓଡ଼ିଆରେ ଅନେକ ଖବରକାଗଜ ପ୍ରକାଶିତ ହୋଇଥିଲା, ସେଥିମଧ୍ୟରୁ କଟକର ‘ଉତ୍କଳ ଦୀପିକା’, ‘ଉତ୍କଳ ପତ୍ର’, ‘ଉତ୍କଳ ହିତୈସିନୀ’, ବାଲେଶ୍ୱରର ‘ଉତ୍କଳ ଦର୍ପଣ’ ଓ ‘ସମ୍ବାଦ ବହିକା’, ଦେବଗଡ଼ରୁ ‘ସମ୍ବଲପୁର ହିତୈସିନୀ’ ପ୍ରମୁଖ ଥିଲା। ମହାରାଜା ରାମଚନ୍ଦ୍ର ଭଞ୍ଜ ଦେଓଙ୍କ ଆର୍ଥିକ ସହାୟତାରେ ବାରିପଦାରୁ ୧୮୯୧ ମସିହା ଏପ୍ରିଲ ମାସରେ ‘ଉତ୍କଳ ପ୍ରଭା’ ଶୀର୍ଷକ ଏକ ସାହିତ୍ୟ ପତ୍ରିକା ପ୍ରକାଶ ପାଇଥିଲା।

ଦେଶର ସ୍ୱାଧୀନତା ସଂଗ୍ରାମକୁ ସମର୍ଥନ କରିବା ପାଇଁ ସ୍ୱର୍ଗତ ପଣ୍ଡିତ ଗୋପବନ୍ଧୁ ଦାସ ୧୯୧୯ ମସିହାରେ ସାପ୍ତାହିକ ଭାବରେ କଟକର ଓଡ଼ିଆ ଦୈନିକ “ସମାଜ” ପ୍ରତିଷ୍ଠା କରିଥିଲେ। ୧୯୨୮ ମସିହାରେ ଶଶୀଭୂଷଣ ରଥ ବ୍ରହ୍ମପୁରରୁ ଓଡ଼ିଆ ଦୈନିକ ‘ଆଶା’ ଆରମ୍ଭ କରିଥିଲେ। ଅନ୍ୟ ଏକ ଓଡ଼ିଆ ମାସିକ ପତ୍ରିକା ଯାହା ନିଜର ସମାଲୋଚନାତ୍ମକ ଲେଖା ପାଇଁ ସାରା ରାଜ୍ୟରେ ବେଶ୍ ପ୍ରଭାବ ପକାଇଥିଲା ତାହା ହେଲା ‘ନିଆଖୁଣ୍ଟା’। ବ୍ୟଙ୍ଗାତ୍ମକ ଲେଖା ଓ କବିତା ପାଇଁ ଏହା ଅଧିକ ଲୋକପ୍ରିୟ ହୋଇଥିଲା। ଏହା ପ୍ରଥମେ ୧୯୩୮ ମସିହାରେ ବ୍ରହ୍ମପୁରରୁ ସ୍ୱର୍ଗତ ଗୋଦାବରୀଶ ମହାପାତ୍ରଙ୍କ ଦ୍ୱାରା ଆରମ୍ଭ ହୋଇ ପରେ କଟକକୁ ସ୍ଥାନାନ୍ତରିତ ହୋଇଥିଲା। ୧୯୭୪ ମସିହା ନଭେମ୍ବର ୧୪ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ମାଲିକାନାରେ ଏକ ନୂଆ ଓଡ଼ିଆ ଦୈନିକ ‘ଧରିତ୍ରୀ’ ଓଡ଼ିଶାର ଖବରକାଗଜ ପରିବାରରେ ସାମିଲ ହୋଇଥିଲା।

ଏହିଭଳି ଭାବରେ ଆଧୁନିକ ଓଡିଶାରେ ଅନେକ ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା। ଓଡ଼ିଆ ସାମ୍ବାଦିକତା କଲମ ମୁନରେ ସମାଜର ପ୍ରତ୍ୟେକ ସମସ୍ୟା ଲୋକଲୋଚନକୁ ଆଣି ଭବିଷ୍ୟତ ପଥେ ଅଗ୍ରସର ହେଉଛି।