ଭାରତୀୟ ରେଳ ଇତିହାସର ନୂତନ ଅଧ୍ୟାୟ ଆରମ୍ଭ: ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭର୍ଚୁଆଲ୍ ମାଧ୍ୟମରେ ଦେଶର ୫୦୮ଟି ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଓଡ଼ିଶାର ୨୫ ରେଳଷ୍ଟେସନ ଅମୃତ ଭାରତ ଷ୍ଟେସନ ସ୍କିମରେ ସାମିଲ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭର୍ଚୁଆଲ୍ ମାଧ୍ୟମରେ ଦେଶର ୫୦୮ଟି ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଲକ୍ଷ ଲକ୍ଷ ଯାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରି ରେଳ ଷ୍ଟେସନଗୁଡ଼ିକୁ ଅତ୍ୟାଧୁନିକ ସୁବିଧାରେ ପରିଣତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ ପଥରେ ଅଗ୍ରସର ହେଉଥିବା ଭାରତ ଏହାର ଅମୃତ କାଳର ପ୍ରାରମ୍ଭରେ ରହିଛି। ‘ନୂତନ ଶକ୍ତି, ନୂତନ ପ୍ରେରଣା ଏବଂ ନୂତନ ସଂକଳ୍ପ’ ଏହି ଭାବନାରେ ଭାରତୀୟ ରେଳ ଇତିହାସରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି। ପ୍ରତ୍ୟେକ ‘ଅମୃତ’ ଷ୍ଟେସନ ସହରର ଆକାଂକ୍ଷା ଏବଂ ଭାରତର ପ୍ରାଚୀନ ଐତିହ୍ୟର ପ୍ରତୀକ ହେବ।
ନୂତନ ଭାବେ ଆରମ୍ଭ ହୋଇଥିବା ଅମୃତ ଭାରତ ରେଳ ଷ୍ଟେସନ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତର ପ୍ରାୟ ୧୩୦୦ ପ୍ରମୁଖ ରେଳ ଷ୍ଟେସନକୁ ଏବେ ଅମୃତ ଭାରତ ରେଳ ଷ୍ଟେସନ ଭାବରେ ବିକଶିତ କରାଯିବ। ଆଧୁନିକ ପଦ୍ଧତିରେ ଏଗୁଡ଼ିକର ପୁନଃବିକାଶ କରାଯିବ। ସେଥିମଧ୍ୟରୁ ୫୦୮ଟି ଅମୃତ ଭାରତ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଛି। ଏହି ୫୦୮ ଟି ଅମୃତ ଭାରତ ଷ୍ଟେସନର ପୁନଃବିକାଶ ପାଇଁ ପ୍ରାୟ ୨୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ମୋଦି ଆହୁରି କହିଛନ୍ତି, ଆଜି ସମଗ୍ର ବିଶ୍ୱର ଫୋକସ୍ ଭାରତ ଉପରେ ରହିଛି। ବିଶ୍ବସ୍ତରରେ ଭାରତର ସମ୍ମାନ ବୃଦ୍ଧି ପାଇଛି। ଭାରତ ପ୍ରତି ବିଶ୍ୱର ଆଭିମୁଖ୍ୟ ବଦଳିଯାଇଛି। ରେଳକ୍ଷେତ୍ରରେ ନ୍ୟୁଜିଲାଣ୍ଡ, ସ୍ୱିଡେନ୍, ୟୁକ୍ରେନ, ପୋଲାଣ୍ଡ ଭଳି ଦେଶକୁ ପଛରେ ପକାଇ ଦେଇଛି ଭାରତ। ଏହି ପରିବର୍ତ୍ତନର ଦୁଇଟି ମୁଖ୍ୟ କାରଣ ରହିଛି- ପ୍ରଥମତଃ, ଭାରତୀୟମାନେ ପ୍ରାୟ ୩୦ ବର୍ଷ ପରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସରକାର ଆଣିଥିଲେ ଏବଂ ଦ୍ବିତୀୟତଃ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସରକାର ବଡ଼ ନିଷ୍ପତ୍ତି ନେଇଥିଲେ ଏବଂ ଚ୍ୟାଲେଞ୍ଜର ସ୍ଥାୟୀ ସମାଧାନ ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ।
ପୁନର୍ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବା ଏହି ୫୦୮ଟି ରେଳ ଷ୍ଟେସନ ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଇଥିବା ବେଳେ ଉତ୍ତରପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟରେ ୫୫ଟି ଲେଖାଏଁ ଷ୍ଟେସନ ଥିବା ବେଳେ ବିହାରରେ ୪୯ଟି, ମହାରାଷ୍ଟ୍ରରେ ୪୪ଟି ଏବଂ ପଶ୍ଚିମବଙ୍ଗରେ ୩୭ ଏବଂ ଓଡିଶାରେ ୨୫ଟି ରେଳ ଷ୍ଟେସନ ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଛି। ଓଡିଶାର ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନୂଆପଡା, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନ ସାମିଲ ହୋଇଛି। ୨୦୨୫ ସୁଦ୍ଧା ଏହି ରେଳ ପ୍ରକଳ୍ପର ଉନ୍ନତିମୂଳକ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ପୁନରୁଦ୍ଧାର ଯୋଜନାରେ ଆଧୁନିକ ଯାତ୍ରୀ ସୁବିଧା, ଦକ୍ଷ ଟ୍ରାଫିକ୍ ସଞ୍ଚାଳନ, ନିରବଚ୍ଛିନ୍ନ ଆନ୍ତଃ-ମୋଡାଲ ଇଣ୍ଟିଗ୍ରେସନ୍ ଏବଂ ଯାତ୍ରୀଙ୍କ ମାର୍ଗଦର୍ଶନକୁ ସୁଗମ କରିବା ପାଇଁ ବ୍ୟାପକ ସଙ୍କେତ ଉପରେ ଗୁରୁତ୍ୱ ଦିଆଯାଇଛି। ସାଧାରଣ ରେଳ ଷ୍ଟେସନରେ ପାହାଚ ଚଢିବାକୁ ଥିବା ବେଳେ ଏଥିରେ ଏସ୍କିଲେଟର ସୁବିଧା ରହିଛି। ସେହିଭଳି ଦିବ୍ୟାଙ୍ଗମାନଙ୍କ ଯାତ୍ରା ପାଇଁ ଅନେକ ସୁବିଧା ରହିଛି।