ପାକିସ୍ତାନରେ ଟ୍ରେନ୍‌ ଲାଇନଚ୍ୟୁତ; ୨୦ ମୃତ, ୮୦ ଆହତ

କରାଚୀରୁ ଅବଟ୍ଟୋବାଦ ଯିବା ବାଟରେ ନୱାବସାହା ଷ୍ଟେସନ ପାଖରେ ହଜାରା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି।

ଉଦ୍ଧାରକାର୍ଯ୍ୟ ଜାରି

କରାଚି: ଦକ୍ଷିଣ ପାକିସ୍ତାନରେ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। କରାଚିଠାରୁ ପ୍ରାୟ ୨୭୫ କିଲୋମିଟର ଦୂର ନବାବଶାହର ସାହାରା ରେଳ ଷ୍ଟେସନ ନିକଟରେ ଅବଟ୍ଟୋବାଦ ଯିବା ବାଟରେ ହଜାରା ଏକ୍ସପ୍ରେସର ପ୍ରାୟ ୧୦ଟି ବଗି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ଭଗ୍ନାବଶେଷରୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ତେବେ ସିନ୍ଧର ନବାବଶାହା ଏବଂ ପଡ଼ୋଶୀ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

ରେଳମନ୍ତ୍ରୀ ସାଦ୍ ରଫିକ୍ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଟ୍ରେନଟି ସ୍ୱାଭାବିକ ବେଗରେ ଯାତ୍ରା କରୁଥିଲା କିନ୍ତୁ କେଉଁ କାରଣରୁ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା ତାହା ଜାଣିବାକୁ ସେମାନେ ଚେଷ୍ଟା କରୁଛନ୍ତି।