ବଲାଙ୍ଗୀର ଜିଲ୍ଲା ଗସ୍ତରେ ୫-ଟି ସଚିବ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି.କେ.ପାଣ୍ଡିଆନ ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଅଛନ୍ତି।

ଜନ ଅଭିଯୋଗରେ ସାମିଲ ସହ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ବଲାଙ୍ଗୀର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି.କେ.ପାଣ୍ଡିଆନ ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଅଛନ୍ତି। ପାଣ୍ଡିଆନ ବଲାଙ୍ଗୀରରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିବା ସହ ଆୟୋଜିତ ଜନ ଅଭିଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

୫-ଟି ସଚିବ ଭି. କେ. ପାଣ୍ଡିଆନ ପ୍ରଥମେ ତୁସୁରା ଏୟାର ଷ୍ଟ୍ରିପ୍ ଆଧୁନିକୀକରଣ ପ୍ରସ୍ତାବର ସମୀକ୍ଷା କରିବା ସହ ଏୟାର ଷ୍ଟ୍ରିପର ବିକାଶ ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ତୁସୁରାସ୍ଥିତ ସମଲେଇ ମନ୍ଦିର ପରିଦର୍ଶନ କରି ଶ୍ରଦ୍ଧାଳୁଙ୍କ ଉନ୍ନତ ସୁବିଧା ସହ ମନ୍ଦିରର ସାମଗ୍ରିକ ବିକାଶ ପାଇଁ ସେବାୟତ, ଟ୍ରଷ୍ଟି ସଦସ୍ୟ ଓ ସାଧାରଣ ଜନତାଙ୍କ ସହ ଆଲୋଚନା କରିବା ସହ ମନ୍ଦିରର ରୂପାନ୍ତର ଓ ଏହାର ବିକାଶର ବିଭିନ୍ନ ଦିଗ ଉପରେ ପରାମର୍ଶ ନେଇଥିଲେ। ମନ୍ଦିର ଓ ତୀର୍ଥଯାତ୍ରୀ ସୁବିଧା ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ପାଟଣାଗଡ଼, ଟିଟିଲାଗଡ଼ ଓ ଦେଓଗାଁରେ ଜନଅଭିଯୋଗ ସଭାରେ ଅଂଶଗ୍ରହଣ କରିଥିଲେ। ପରେ ୧୦୨୦ କୋଟି ଟଙ୍କା ବ୍ୟୟରେ ପାଟଣାଗଡ଼, ଟିଟିଲାଗଡ଼, ସଇଁତଳା, ଗୁଡ଼ଭେଲା, ବଲାଙ୍ଗୀର, ପୁଇଁତଳା ଓ ଦେଓଗାଁ ବ୍ଲକରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ଯୋଜନାର ସମୀକ୍ଷା କରିଥିଲେ। ଡିସେମ୍ବର ୨୦୨୪ରୁ ପର୍ଯ୍ୟାୟକ୍ରମେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବ। ବଲାଙ୍ଗୀର ଓ ଟିଟିଲାଗଡ଼ ପୌରାଞ୍ଚଳରେ ଜଳ ଯୋଗାଣ ଉନ୍ନତି ପ୍ରକଳ୍ପ ଅକ୍ଟୋବର ସୁଦ୍ଧା ଶେଷ ହେବ ବୋଲି ସୂଚନା ମିଳିଛି।

ଟିଟିଲାଗଡ଼ ସବ୍ ଡିଭିଜନରେ ୯୫୦ କୋଟି ଟଙ୍କା ବ୍ୟୟରେ ଚାଲିଥିବା ଇନ୍ ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର ପ୍ରକଳ୍ପର ସମୀକ୍ଷା କରିବା ସହ ଉପର ଲାନ୍ଥ ପ୍ରକଳ୍ପ ଓ ଲୋୟର ଇନ୍ଦ୍ରା ପ୍ରକଳ୍ପର ଆୟାକଟ ଅଞ୍ଚଳର ସମ୍ପ୍ରସାରଣ ର ସମୀକ୍ଷା କରିଥିଲେ। ଏହାପରେ ସେ ହରିଶଙ୍କର ମନ୍ଦିର ପରିଦର୍ଶନ କରିଥିଲେ। ୫୫ କୋଟି ଟଙ୍କା ବ୍ୟୟରେ ମନ୍ଦିର ଅଞ୍ଚଳର ବିକାଶ ପାଇଁ ଚାଲିଥିବା ପ୍ରକଳ୍ପର ସମୀକ୍ଷା କରିଥିଲେ।

ଏହାପରେ ସେ ମିଶନ ଶକ୍ତି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍ଏମ୍ଇ) କମ୍ପ୍ଲେକ୍ସ ପରିଦର୍ଶନ କରିଥିଲେ। ମିଶନ ଶକ୍ତି ଏସଏମଇ ଏସଏଚଜି ଗ୍ରୁପ୍ ସହ ଆଲୋଚନା କରିବା ସହ ସମସ୍ତ ୭ଟି ୟୁନିଟ୍ କାର୍ଯ୍ୟର ସମୀକ୍ଷା କରିବା ସହ ପାନ୍ଥ ନିବାସ ପରିଚାଳନା କରୁଥିବା ମିଶନ ଶକ୍ତି ଗ୍ରୁପ୍ ଏବଂ ବସ୍ ସେବା ମଧ୍ୟ ପରିଦର୍ଶନ କରିଥିଲେ।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ଜିଲ୍ଲାର +୨ ଓ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ସାଢ଼େ ୪୦ କୋଟି ଟଙ୍କା ବ୍ୟୟରେ ୬୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୨୮ଟି ଡିଗ୍ରୀ କଲେଜକୁ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା ନେଇ ସେ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଅବଗତ କରାଇଥିଲେ। ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସହ ସ୍ବତନ୍ତ୍ର ସଚିବ ଆର୍ ବିନୀଲ କ୍ରିଷ୍ଣା, ଆଇଜି ଦୀପକ କୁମାର, ଜିଲ୍ଲାପାଳ ତଥା ଡିଏମ୍ ଚଞ୍ଚଲ ରଣା, ଏସ୍.ପି. ଋଷିକେଶ ଜ୍ଞାନଦେଓ ଏହି ଗସ୍ତ ସମୟରେ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।