ସ୍କିଲ୍ଡ-ଇନ-ଓଡିଶା ବ୍ରାଣ୍ଡ ପାଇଁ ‘ନୂଆ’ ଯୋଜନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇ ଯାଇଛି।

୧୯ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ୧୯ଟି ପ୍ରସ୍ତାବକୁ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ସ୍ୱତନ୍ତ୍ର ଯୋଜନା ପାଇଁ କ୍ୟାବିନେଟରେ ଅର୍ଥ ମଞ୍ଜୁର କରାଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିବର୍ଷ ୧ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ ତାଲିମ ଦେବା ପାଇଁ ୩୮୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ନୂତନ ଉନ୍ନତ ଅଭିଳାଷା (ନୂଆ) ଓଡ଼ିଶା ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହି ଯୋଜନା ସମସ୍ତ ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ। ସରକାରୀ ଦକ୍ଷତା ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଜରିଆରେ ଆଇଟିଆଇ, ପଲିଟେକ୍ନିକ୍, ଏମଏସଏମଇ, କୃଷି, ହସ୍ତଶିଳ୍ପ ଇତ୍ୟାଦି ମାଧ୍ୟମରେ ଦକ୍ଷତା, ପୁନରୁଦ୍ଧାର ଏବଂ ଉନ୍ନତ ଦକ୍ଷତା ସୁଯୋଗ ପ୍ରଦାନ କରାଯିବ। ଏହା ଦ୍ୱାରା ସ୍କିଲ୍ଡ-ଇନ-ଓଡିଶା ବ୍ରାଣ୍ଡ ସୁଦୃଢ ହେବ।

ଓଡ଼ିଶା ମୋବାଇଲ ଟାୱାର୍ସ ଆଣ୍ଡ ଟେଲିଗ୍ରାଫିକ ଲାଇନ୍, ଓଏଫସି ଏବଂ ସଂପୃକ୍ତ ଟେଲିକମ୍ ଭିତ୍ତିଭୂମି ନୀତି ୨୦୧୭ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ଦ୍ୱାରା ବର୍ତ୍ତମାନର ରାଜ୍ୟ ନୀତିରେ ସଂଶୋଧନ ଆସିବ ଏବଂ ଟେଲିକମ୍ ଭିତ୍ତିଭୂମିର ଦ୍ରୁତ ଏବଂ ସହଜ ଉପଯୋଗ ସହଜ ହେବ ଯାହା ଦ୍ରୁତ ଗତିରେ ୫ଜି କାର୍ଯ୍ୟକାରୀ ହେବା ସହ ପରିଚାଳନା ଅସୁବିଧା ହ୍ରାସ ହେବ ଏବଂ ସମଗ୍ର ରାଜ୍ୟରେ ସେବାର ଗୁଣବତ୍ତାରେ ଉନ୍ନତି ଆଣିବ।

ରାଜ୍ୟର ୪୩୭୩ଟି ଅଣବ୍ୟାଙ୍କିଙ୍ଗ ଗ୍ରାମ ପଞ୍ଚାୟତରେ ଭାରତର ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅନୁଯାୟୀ ପାଖାପାଖି ୫୦୦ କୋଟି ଟଙ୍କାର ବଜେଟ୍ ସହାୟତାରେ ‘ସିଏସପି ପ୍ଲସ୍’ ବ୍ୟାଙ୍କିଙ୍ଗ ଆଉଟଲେଟ୍ ଖୋଲିବା ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହା ଦ୍ୱାରା ବ୍ୟାଙ୍କ ଶାଖା ନଥିବା ସବୁ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ମିଳିବ। ଏହା ସହ ଓଡିଶା ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ପଲିସି ୨୦୨୩କୁ ମଞ୍ଜୁରୀ ମିଳିଛି।

ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ କ୍ୟାବିନେଟ୍ ୪ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ମେସର୍ସ ଦି ଇଣ୍ଡିଆନ୍ ହ୍ୟୁମ୍ ପାଇପ୍ କମ୍ପାନି ଲିମିଟେଡ୍, ମୁମ୍ବାଇ (୬୩୯,୧୬,୨୮,୮୧୨.୦୦ ଟଙ୍କା)ର ସର୍ବନିମ୍ନ ଟେଣ୍ଡରକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୁରୀ ଜିଲ୍ଲାର ୭ଟି ବ୍ଲକ ତଥା ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ସତ୍ୟବାଦୀ ଓ ପୁରୀ ସଦରର ୯୨ଟି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୪୯୮ଟି ଗାଁର ପ୍ରାୟ ୪ ଲକ୍ଷ ୬୦ ହଜାର ୬୧୨ ଜଣ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବେ।

ସେହିପରି ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ପଦନପୁର, ବଡ଼ଟୋଲା, ଭୀମପୁର ଓ ବେଲାପଡ଼ା ମୌଜାରେ ଟାଟା ମେମୋରିଆଲ ସେଣ୍ଟର (ଟିଏମସି) ଦ୍ୱାରା କ୍ୟାନସର ହସ୍ପିଟାଲ ଓ ଏଜୁକେସନ ସେଣ୍ଟର ପ୍ରତିଷ୍ଠା ପାଇଁ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)କୁ ମାଗଣାରେ ୪୮ ଏକର ୮୪୨ ଡେସିମିଲ ସରକାରୀ ଜମି ଲିଜରେ ଦେବାକୁ ରାଜସ୍ୱ ଓ ଡିଏମ୍ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଅନୁସୂଚିତ ଜାତି ଓ ଜନଜାତିଙ୍କ ନିଯୁକ୍ତି ସମ୍ପର୍କିତ ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି। ଏହା ଦ୍ୱାରା ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ।