ମଙ୍କିପକ୍ସ ନେଇ ଗାଇଡଲାଇନ ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଗୁରୁବାରଦିନ ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ସତର୍କ ହୋଇଉଠିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାରଦିନ କେତେକ ଗାଇଡଲାଇନ ଜାରି ହୋଇଛି । ଏହି ଗାଇଡଲାଇନ ଅନୁସାରେ ବିଦେଶଯାତ୍ରୀମାନେ ଅସୁସ୍ଥ ଲୋକ ବିଶେଷକରି ଚର୍ମରୋଗ ଥିବା ଲୋକମାନଙ୍କଠାରୁ ଦୂରତା ବଜାୟ ରଖିବା ଉଚିତ ।

ଲୋକମାନେ ମଧ୍ୟ ବଣୁଆ ଜୀବ ଯେପରିକି ମାଙ୍କଡ଼, ସିପାଞ୍ଜି, ଗୁଣ୍ଡୁଚି ମୁଷା, ସାଧାରଣ ମୁଷା ଆଦିଙ୍କ ସଂସ୍ପର୍ଶରେ ଆସିବା ଉଚିତ ନୁହେଁ । ପୁଣି ଅନ୍ତର୍ଜାତୀୟ ଯାତ୍ରା କରୁଥିବା ଲୋକମାନେ ବଣୁଆ ପଶୁଙ୍କ ମାଂସ ଖାଇବା ଉଚିତ ନୁହେଁ । ଆଫ୍ରିକାର ବଣୁଆ ଜୀବଙ୍କ ଶରୀରରୁ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର ନକରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ।