କାଠମାଣ୍ଡୁ, ୦୩/୧୧: ନେପାଳର ମାଉଣ୍ଟ ଏଭରେଷ୍ଟ ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଅବତରଣ କରିବା ସମୟରେ ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲିକପ୍ଟରର ପାଇଲଟ୍ଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ନେପାଳର ସୋଲୁଖୁମ୍ବୁ ଜିଲ୍ଲାର ଫେରିଚେ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।
ନେପାଳ ପୋଲିସର ସୋଲୁଖୁମ୍ବୁ ଜିଲ୍ଲା ମୁଖ୍ୟାଳୟର ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଦୁଇଟି ହେଉଛି ଫିସ୍ଟେଲ୍ ଏୟାର ଏବଂ ଏୟାର ଡାଇନାଷ୍ଟି। ଉଭୟ ହେଲିକପ୍ଟର ଫେରିଚେ ହେଲିପ୍ୟାଡ୍ରେ ଅବତରଣ କରିବାକୁ ଯାଉଥିବା ସମୟରେ ପରସ୍ପର ସହ ଧକ୍କା ହୋଇଥିଲେ।
ଘଟଣାରେ ଫିସ୍ଟେଲ୍ ଏୟାରର ହେଲିକପ୍ଟରରେ ଥିବା ଜଣେ ବିଦେଶୀ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ତୁରନ୍ତ ଜଣାପଡ଼ିନାହିଁ। ଅନ୍ୟପଟେ ଏୟାର ଡାଇନାଷ୍ଟିର ହେଲିକପ୍ଟର ଚଳାଉଥିବା କ୍ୟାପ୍ଟେନ୍ ରବୀନ୍ଦ୍ର ପ୍ରଜାପତି ଆହତ ହୋଇଛନ୍ତି। ଫିସ୍ଟେଲ୍ ଏୟାରର ହେଲିକପ୍ଟରର ପାଇଲଟ୍ କ୍ୟାପ୍ଟେନ୍ ପ୍ରଜ୍ଜ୍ୱଳ କେ.ସି. ଥିଲେ।
ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ପାଇଁ ସିମ୍ରିକ୍ ଏୟାରର ଏକ ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଲୁକ୍ଲାକୁ ନିଆଯାଇଥିଲା। ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ସେ ନେଇ ତଦନ୍ତ ଆରମ୍ଭ ହୋଇଛି।