୧୭୯ କୋଟିରେ ବେତନଟୀରେ ଜଳସେଚନ ପ୍ରକଳ୍ପ
୫-ଟି ସଚିବ ଶ୍ରୀ. ଭି.କେ.ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଛନ୍ତି।
ପାଣ୍ଡିଆନଙ୍କ ମୟୂରଭଞ୍ଜ ଗସ୍ତର ଦ୍ବିତୀୟ ଦିନ
ଭୁବନେଶ୍ୱର: ୧୨/୮/୨୩: ମୟୂରଭଞ୍ଜର ୧୬ଟି ବ୍ଲକର ଜନସାଧାରଣ ପିଇବେ ବିଶୁଦ୍ଧ ପାନୀୟ ପାଇପ ଜଳ। ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ୬ ମାସ ଭିତରେ ଶେଷ ହେବ ରାସ୍ତା ପ୍ରକଳ୍ପ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଶ୍ରୀ. ଭି.କେ.ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ଏଭଳି ସୂଚନା ଦେଇଛନ୍ତି। ପାଣ୍ଡିଆନ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଜନସାଧାରଣଙ୍କ ଅଭିଯୋଗର ସମାଧାନର ସମୀକ୍ଷା କରିଛନ୍ତି।
ଦ୍ବିତୀୟ ଦିନରେ ଶ୍ରୀ ପାଣ୍ଡିଆନ ବାଙ୍ଗିରିପୋଷି, ସାମଖୁଣ୍ଟା, କୁଳିଆଣା, ସୁଲିଆପଡ଼ା, ମୋରଡ଼ା, ରାସଗୋବିନ୍ଦପୁର, ବେତନଟୀ, ଉଦଳା, ଗୋପବନ୍ଧୁ ନଗର, କପ୍ତିପଦା, ତିରିଙ୍ଗ, ବାହାଲଦା, ଜାମଦା, ରାଇରଙ୍ଗପୁର, ସାରସକଣା, ବିଶୋଇ ବ୍ଲକରେ ୨୧୨୭ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ଯୋଜନା ଓ ମଲ୍ଟି ଭିଲେଜ ପାଇପ୍ ଜଳ ଯୋଜନାର ଅଗ୍ରଗତି ସମୀକ୍ଷା କରିଥିଲେ। ଅକ୍ଟୋବର ୨୦୨୩ରୁ ପର୍ଯ୍ୟାୟକ୍ରମେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ପାଇଁ ୮୨ କୋଟି ଟଙ୍କା ବ୍ୟୟରେ ବାଙ୍ଗିରିପୋଷିରେ ୩୨ କିଲୋମିଟରର ବିକଳ୍ପରୁ ଘାଟ ରୋଡ୍ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହ ଛଅ ମାସ ମଧ୍ୟରେ ରାସ୍ତା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀ ପାଣ୍ଡିଆନ୍ ବର୍ତ୍ତମାନ ଚାଲିଥିବା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ବର୍ତମାନ ବେତନଟୀ ବ୍ଲକରେ ୨୦ ହଜାର ଏସି ଥିବା ବେଳେ ଆଗାମୀ ବର୍ଷରେ ଏହା ୭୨ ହଜାର ଏସିକୁ ବୃଦ୍ଧି ପାଇଥିବା ବେଳେ ବଡ଼ସାହିରେ ୧୧ ହଜାର ଏସିକୁ ଅନ୍ତର୍ଭୁକ୍ତ କରାଯିବ। ଟେଣ୍ଡର ପର୍ଯ୍ୟାୟରେ ଥିବା କୁଳିଆନା, ବେତନଟୀ ଓ ସାରସକଣା ବ୍ଲକରେ ୧୪,୯୧୦ ଏସି ଜଳସେଚନ ପାଇଁ ୧୭୯ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସହ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଶ୍ରୀ ପାଣ୍ଡିଆନ୍ ବାଙ୍ଗିରିପୋଷି, ମୋରଡ଼ା ଓ ଉଦଳା ବ୍ଲକରେ ୨୪୫ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ସଡ଼କ ପ୍ରକଳ୍ପ ଓ ଆମ ହସ୍ପିଟାଲର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ପରେ ଜନଅଭିଯୋଗ ସଭାରେ ଅଂଶଗ୍ରହଣ କରିଥିଲେ। ଜନସାଧାରଣଙ୍କ ଅଭିଯୋଗ ସମ୍ପର୍କରେ ସେ ଆଲୋଚନା କରିଥିଲେ।
ବାରିପଦାରେ ମିଶନ ଶକ୍ତି ଗ୍ରୁପ୍ ସହ ଆଲୋଚନା କରିବା ସହ ସେମାନଙ୍କ କାର୍ଯ୍ୟକଳାପ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ବିନୀଲ କ୍ରିଷ୍ଣା, ଆଇଜି ହିମାଂଶୁ ଲାଲ୍, ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ, ଏସ୍ପି ବଟୁଲା ଗଙ୍ଗାଧର ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ।