ଡାକ୍ତର ସାଜିଲେ କାଳ: ଇଏ କି ଅସ୍ତ୍ରୋପଚାର!

ରାୟପୁରର ଏକ ହସ୍ପିଟାଲର ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କ କଟା ଆଙ୍ଗୁଠି ନେଇ ପେଟରେ ରଖିଛନ୍ତି।

ପେଟରେ ରଖିଲେ କଟା ଆଙ୍ଗୁଠି

ସମ୍ବଲପୁର: ଅପରେସନ କରିବାକୁ ଯାଇ ଜଣେ ବ୍ୟକ୍ତିଙ୍କ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଡାକ୍ତର। ଗତ କିଛି ଦିନ ତଳେ ରାୟପୁରର ଏକ ହସ୍ପିଟାଲର ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କ କଟା ଆଙ୍ଗୁଠି ନେଇ ପେଟରେ ରଖିଛନ୍ତି। ଜଣେ ବ୍ୟକ୍ତିଙ୍କ ପେଟରେ କଟା ଆଙ୍ଗୁଠି ରଖିଥିବା ଅଭିଯୋଗ ହୋଇଛି। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସମ୍ବଲପୁର ହୀରାକୁଦ କଲୋନୀର ସନତ ମହାନ୍ତି।

ସନତଙ୍କ କହିବା ଅନୁଯାୟୀ, ସେ ବାଇକ୍ ଧୋଉଥିବା ବେଳେ ତାଙ୍କ ଆଙ୍ଗୁଠି କଟି ଯାଇଥିଲା। ସଙ୍ଗେ ସଙ୍ଗେ ସନତଙ୍କ ପରିବାର ଲୋକେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରୁ ଡାକ୍ତର ତାଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। କଟକ ଯିବା ପାଇଁ ବହୁତ ବିଳମ୍ବ ହେବ ବୋଲି ଜାଣି ସନତଙ୍କ ପରିବାର ଲୋକେ ତାଙ୍କୁ ରାୟପୁରର କଲଦା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଥିବା ଡାକ୍ତରମାନେ ତାଙ୍କୁ ଏକ ନୂତନ କୌଶଳ ବ୍ୟବହାର କରି ଅସ୍ତ୍ରୋପଚାର କରିବେ ବୋଲି କହିଥିଲେ। ଏହି ନୂଆ ପ୍ରକାର ଅସ୍ତ୍ରୋପଚାରରେ ଡାକ୍ତରମାନେ କଟା ଆଙ୍ଗୁଠିକୁ ବ୍ୟକ୍ତିଙ୍କ ପେଟରେ ଲଗାଇ କୋଷଗୁଡ଼ିକୁ ନଷ୍ଟ ନ କରିବା ସହ ସଂକ୍ରମଣରୁ ରକ୍ଷା ପାଇପାରିବେ ବୋଲି କହିଥିଲେ। ତେବେ ଏହି ଅସ୍ତ୍ରୋପଚାର ସରିବା ପରେ ସେ ସୁସ୍ଥ ହେବା ପରିବର୍ତ୍ତେ ସନତ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ପେଟରେ ସଂକ୍ରମଣ ହୋଇ ଯାଇଥିଲା। ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସେ କିଛି ନ ଶୁଣି ସେଠାରୁ ଚାଲି ଯିବାକୁ କହିଥିଲେ। ଏହା ସହ ଆହୁରି ଏକ ଅଭିଯୋଗ ମଧ୍ୟ ଆଣିଛନ୍ତି ସନତ। ଅସ୍ତ୍ରୋପଚାର ପୂର୍ବରୁ କର୍ତ୍ତୃପକ୍ଷ ପ୍ରଥମେ କହିଥିଲେ ଯେ ତାଙ୍କ ଚିକିତ୍ସା ଖର୍ଚ୍ଚ ବିକେଏସୱାଇର ସ୍ୱାସ୍ଥ୍ୟ କାର୍ଡ ଅଧୀନରେ ଅନ୍ତର୍ଭୁକ୍ତ ହେବ। କିନ୍ତୁ ଅସ୍ତ୍ରୋପଚାର ୧୫ ଦିନ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ କାର୍ଡ ଅବୈଧ ବୋଲି କହି ରୋଗୀଙ୍କ ପରିବାର ଠାରୁ ସାଢ଼େ ୩ ଲକ୍ଷ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ସନତ ମହାନ୍ତି ଏବେ ସମ୍ବଲପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।