କାନାଡାରେ ପୁଣି ହିନ୍ଦୁ ମନ୍ଦିର ଭଙ୍ଗାରୁଜା

କାନାଡ଼ାର ବ୍ରିଟିଶ କଲମ୍ବିଆରେ ଥିବା ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରିବା ସହ ପାଖରେ ଏକ ମୃତ ଖଲିସ୍ତାନ ନେତାଙ୍କ ପୋଷ୍ଟର ଲାଗିଛି।

ମୃତ ଖଲିସ୍ତାନୀ ନେତାଙ୍କ ପୋଷ୍ଟର ଜାରି

କଲମ୍ବିଆ: କାନାଡ଼ାର ବ୍ରିଟିଶ କଲମ୍ବିଆରେ ଥିବା ହିନ୍ଦୁ ମନ୍ଦିରରେ ହୋଇଛି ଭଙ୍ଗାରୁଜା। ଏହା ସହ ମନ୍ଦିରର ମୁଖ୍ୟ ଦ୍ୱାରରେ ଲାଗିଛି ଖଲିସ୍ତାନ ଜନମତ ପୋଷ୍ଟର। ଏହି ପୋଷ୍ଟରରେ ଖଲିସ୍ତାନ ନେତା ହରଦୀପ ସିଂ ନିଜାରଙ୍କ ଫଟୋ ମଧ୍ୟ ଥିବାର ନଜର ଆସିଛି।

ହରଦୀପ ସିଂ ନିଜାର କାନାଡାର ସରେରେ ଥିବା ଗୁରୁ ନାନକ ଶିଖ ଗୁରୁଦ୍ୱାର ସାହିବର ମୁଖ୍ୟ ଥିଲେ। ଜୁନ୍ ୧୮ ସନ୍ଧ୍ୟାରେ ଗୁରୁଦ୍ୱାର ପରିସରରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ତାଙ୍କୁ ହତ୍ୟା କରିଥିଲେ। ସେ ବିଚ୍ଛିନ୍ନତାବାଦୀ ସଂଗଠନ ଖଲିସ୍ତାନ ଟାଇଗର ଫୋର୍ସ (କେଟିଏଫ୍)ର ମୁଖ୍ୟ ଥିଲେ। ସରେରେ ଭଙ୍ଗା ଯାଇଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର, ବ୍ରିଟିଶ କଲମ୍ବିଆର ସବୁଠାରୁ ବଡ ଏବଂ ପୁରାତନ ହିନ୍ଦୁ ମନ୍ଦିର ମଧ୍ୟରୁ ଅନ୍ୟତମ। ଚଳିତ ବର୍ଷ କାନାଡାରେ ମନ୍ଦିର ଭଙ୍ଗାରୁଜାର ଏହା ତୃତୀୟ ଘଟଣା।

ଗତ ଜାନୁଆରି ୩୧ ତାରିଖରେ କାନାଡାର ବ୍ରାମ୍ପଟନରେ ଥିବା ଏକ ପ୍ରମୁଖ ହିନ୍ଦୁ ମନ୍ଦିର ଓ ଏପ୍ରିଲ ମାସରେ କାନାଡାର ଅଣ୍ଟାରିଓରେ ଥିବା ଆଉ ଏକ ହିନ୍ଦୁ ମନ୍ଦିରରେ ଭାରତ ବିରୋଧୀ ଗ୍ରାଫିଟି ଲଗାଇ ଭଙ୍ଗାରୁଜା କରାଯାଇଥିଲା। ଦୁଇ ଜଣ ସନ୍ଦିଗ୍ଧ ହିନ୍ଦୁ ମନ୍ଦିର କାନ୍ଥରେ ଚିତ୍ରାଙ୍କନ କରୁଥିବା ସିସିଟିଭି ଫୁଟେଜ୍ ଜାରି କରିଛି ୱିଣ୍ଡସର ପୁଲିସ। ଏହି ଘଟଣା ପରେ ଭାରତୀୟ ସମୁଦାୟ କଡା ନିନ୍ଦା କରିଥିଲେ।