ସ୍କୁଲ ନଯିବାରୁ ପୁଅକୁ କଠୋର ଦଣ୍ଡ

ସ୍କୁଲ ଯିବା ପାଇଁ ମନା କରିବାରୁ ଜଣେ ବାପା ନିଜ ପୁଅକୁ ଗରମ ଲୁହାରେ ଚେଙ୍କ ଦେଇ କଠୋର ଦଣ୍ଡ ଦେଇଛନ୍ତି।

ନାବାଳକକୁ ଲୁହାରେ ନିଆଁ ଚେଙ୍କ ଲଗାଇଲେ ବାପା

ଅନୁଗୁଳ: ପିଲାମାନେ ପ୍ରାୟତଃ ସ୍କୁଲ ନ ଯିବା ପାଇଁ ଜିଦି କରିଥାନ୍ତି। କିନ୍ତୁ ସ୍କୁଲ ନ ଯିବାକୁ ଜିଦି କରୁଥିବା ପିଲାମାନଙ୍କୁ କଠୋର ଦଣ୍ଡ ଦେବା କେତେ ଦୂର ଯୁକ୍ତିଯୁକ୍ତ। ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମନାକୁ ଆସିଛି ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାରୁ। ସ୍କୁଲ ଯିବା ପାଇଁ ମନା କରିବାରୁ ଜଣେ ବାପା ନିଜ ପୁଅକୁ ଗରମ ଲୁହାରେ ଚେଙ୍କ ଦେବା ଘଟଣା ଅନୁଗୁଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନାନୁସାରେ, ଛେଣ୍ଡିପଦାର ସୁଭାଷ ପ୍ରଧାନଙ୍କ ପ୍ରଥମ ପତ୍ନୀଙ୍କ ପୁଅ ହେଉଛନ୍ତି ଉକ୍ତ ୧୨ ବର୍ଷୀୟ ନାବାଳକ। କିନ୍ତୁ ନାବାଳକ ଜଣକ ସ୍କୁଲ ଯିବାକୁ ମନା କରିବାରୁ ଦ୍ୱିତୀୟ ପତ୍ନୀଙ୍କ ଦ୍ୱାରା ପ୍ରରୋଚିତ ହୋଇ ସୁଭାଷ ତାଙ୍କ ପୁଅକୁ ଗାଳିଗୁଲଜ କରିବା ସହ ଏଭଳି ଅତ୍ୟାଚାର କରିଥିଲେ। ନାବାଳକ ଏବେ ଗୁରୁତର ହୋଇ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ଅଛନ୍ତି। ନାବାଳକର ଜେଜେମା ପ୍ରଥମେ କିଛି ସ୍ଥାନୀୟ ଗ୍ରାମବାସୀଙ୍କୁ ଘଟଣା ବିଷୟରେ ଜଣାଇବା ପରେ ଚାଇଲ୍ଡଲାଇନ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଚାଇଲ୍ଡଲାଇନ୍ ଅଧିକାରୀମାନେ ଗାଁରେ ପହଞ୍ଚି ନାବାଳକକୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଛେଣ୍ଡିପଦା ପୁଲିସ ଉଭୟ ସୁଭାଷ ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଅଟକ ରଖିଛି।