ଲୋକସେବା ଭବନରେ ପ୍ରସାରିତ ହେଲା ‘ଇଣ୍ଡିଆଜ୍ ଗେମ୍-ଏ ନେସନ’ ପ୍ରିମିୟର

ସ୍ବାଧୀନତା ଦିବସ ଅବସରରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ହକି ଇଣ୍ଡିଆ ସହଯୋଗରେ 'ଇଣ୍ଡିଆଜ୍ ଗେମ୍-ଏ ନେସନ' ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରାଯାଇଛି।

ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ସ୍ବାଧୀନତା ଦିବସ ଅବସରରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ହକି ଇଣ୍ଡିଆ ସହଯୋଗରେ ହକି ଖେଳ ସମ୍ପର୍କିତ ଏକ ପ୍ରାମାଣିକ ଚଳଚ୍ଚିତ୍ର ‘ଇଣ୍ଡିଆଜ୍ ଗେମ୍’ର ପ୍ରିମିୟର ସୋ ଲୋକସେବା ଭବନରେ ଉପସ୍ଥାପନ କରାଯାଇଥିଲା। ଆଜି ସନ୍ଧ୍ୟାରେ ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟରରେ ଆୟୋଜିତ ଏହି ପ୍ରିମିୟରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଡକ୍ୟୁମେଣ୍ଟାରୀର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ଆମେ ଏହି ଡକ୍ୟୁମେଣ୍ଟାରୀକୁ ସ୍ୱାଧୀନ ଭାରତର ସ୍ୱପ୍ନ ପାଇଁ ଲଢ଼ିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଏବଂ ଦେଶ ପାଇଁ ଗୌରବ ଆଣିଥିବା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଜିତିଥିବା ସମସ୍ତ ହକି ଖେଳାଳିଙ୍କୁ ସମର୍ପିତ କରୁଛୁ । ଏହି ଫିଲ୍ମ ହକି ଏବଂ ଭାରତୀୟ ଜାତୀୟତାବାଦର ଭାବନାପ୍ରତି ଶ୍ରଦ୍ଧାଞ୍ଜଳି।

ଲେଭେଲ ଫିଲ୍ମସ, ୟୁକେ ଦ୍ୱାରା ନିର୍ମିତ ଏହି ଡକ୍ୟୁମେଣ୍ଟାରୀରେ ହିଟଲରଙ୍କ ଜର୍ମାନୀ, ଗ୍ରେଟ୍ ବ୍ରିଟେନ ଏବଂ ପାକିସ୍ତାନ ଭଳି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ବିଜୟ ହାସଲ କରିଥିବା ଭାରତୀୟ ଦଳର ଅସାଧାରଣ ଯାତ୍ରାକୁ ବର୍ଣ୍ଣନା କରାଯାଇଛି। ଏହି ଐତିହାସିକ ଡକ୍ୟୁମେଣ୍ଟାରୀ ନିର୍ମାଣରେ ଓଡ଼ିଶା ସରକାର ଓ ହକି ଇଣ୍ଡିଆ ସହଯୋଗ କରିଛନ୍ତି। ଡକ୍ୟୁମେଣ୍ଟାରୀ ପ୍ରିମିୟର ସୋ https://youtube.com/@HockeyIndiaMedia ଏବଂ https://www.youtube.com/@SportsOdisha ରେ ଉପଲବ୍ଧ ଅଛି।

ଏହି ପ୍ରିମିୟର ସୋରେ ହକି କିମ୍ବଦନ୍ତୀ ଗୁରବକ୍ସ ସିଂହ, ହରବିନ୍ଦର ସିଂହ, ରାନୀ ରାମପାଲ, ମନପ୍ରୀତ ସିଂହ, ଅମିତ ରୋହିଦାସଙ୍କ ସମେତ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀଙ୍କ ସମେତ ରାଜ୍ୟର ଅନେକ ଅନ୍ତର୍ଜାତୀୟ ହକି ଖେଳାଳି ଯୋଗ ଦେବା ସହ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, କ୍ରୀଡ଼ା ଓ ଯୁବସେବା ସଚିବ ବିନୀଲ କ୍ରିଷ୍ଣାଙ୍କ ସମେତ ରାଜ୍ୟ ସରକାରଙ୍କ ବହୁ ବିଶିଷ୍ଟ ବ୍ୟକ୍ତି ଏହି ପ୍ରିମିୟରରେ ଯୋଗ ଦେଇଥିଲେ।