ଜେଜେ ମା’ଙ୍କୁ ହତ୍ୟା କଲା ନାତି

ମଙ୍ଗଳବାର ଜଣେ ଯୁବକ ନିଜ ଜେଜେ ମା'ଙ୍କୁ ମରଣାନ୍ତକ ଅସ୍ତ୍ରରେ ହତ୍ୟା କରିବା ସହ ଆଉ ୪ ଜଣଙ୍କୁ ଆକ୍ରମଣ କରିଛନ୍ତି।

ଆନ୍ତଃଜାତି ବିବାହକୁ ନେଇ ପାରିବାରିକ କନ୍ଦଳ

ଜଗତସିଂହପୁର: ମଙ୍ଗଳବାର ଜଣେ ଯୁବକ ନିଜ ଜେଜେମା’ଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ସହ ଆଉ ୪ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଭଳି ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଗଡ଼େଇଗିରି ଗ୍ରାମରେ। ଆନ୍ତଃଜାତି ବିବାହକୁ ନେଇ ପରିବାର ଲୋକେ ଅରାଜି ଥିବାରୁ ଯୁବକ ଜଣଙ୍କ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିଭଞ୍ଜୟୋତ ସାହୁ ଓରଫ ସମୀର ଅନୁସୂଚିତ ଜାତି ସମ୍ପ୍ରଦାୟର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଏବଂ ପରିବାରର ଇଚ୍ଛା ବିରୋଧରେ ଯାଇ ଆନ୍ତଃଜାତି ବିବାହ କରିଥିଲେ। କିନ୍ତୁ ପରିବାର ଲୋକେ ଏହି ବିବାହକୁ ଗ୍ରହଣ କରିବାକୁ ମନା କରିବାରୁ ଯୁବକ ଜଣକ ଏଭଳି କାଣ୍ଡ ଘଟାଇଛନ୍ତି। ସମୀରଙ୍କର ପୂର୍ବରୁ ଅପରାଧିକ ପୃଷ୍ଠଶଭୂମି ଥିଲା ଏବଂ ତାଙ୍କୁ ଜେଲ୍ ମଧ୍ୟ ପଠାଯାଇଥିଲା। କିଛି ଦିନ ତଳେ ସେ ଜେଲରୁ ମୁକୁଳିଥିଲେ। ମୁକୁଳିବା ପରେ ସମୀର ତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ସେଠାରେ ରହିବାକୁ ଅନୁମତି ଦେବାକୁ ଦାବି କରିଥିଲେ। ପରିବାର ଲୋକେ ତାଙ୍କ ଦାବିକୁ ଗ୍ରହଣ ନ କରିବାରୁ ସେ ତାଙ୍କ ଜେଜେମା’ଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରେ ହିଁ ହତ୍ୟା କରିଥିଲେ। ଘଟଣାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବାରୁ ତାଙ୍କ ମା’ ଏସ୍କରଣୀ ଦାସ ଓ ପଡ଼ୋଶୀ ହେମଲତା ଦାସଙ୍କ ସମେତ ୪ ଜଣ ଆହତ ହୋଇଥିଲେ। ମୃତକଙ୍କ ନାମ ସୁଖିଲତା ସାହୁ ହୋଇଥିବା ବେଳେ ଆହତମାନଙ୍କୁ ପ୍ରଥମେ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା
କିନ୍ତୁ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗ୍ରାମବାସୀଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମୀରଙ୍କୁ ଗିରଫ କରିଥିଲା।