ପ୍ରଥମ ପର୍ଯ୍ୟାୟରେ ୨୦ଟି ଷ୍ଟେସନ ପରିକ୍ରମା କରିବ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ

ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ବୁଧବାର ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି)।

ଡିପିଆର ଦାଖଲ କଲା ଡିଏମଆରସି

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦର ଓ ତ୍ରିଶୁଳିଆ, କଟକକୁ ସଂଯୋଗ କରୁଥିବା ମେଟ୍ରୋ ରେଳ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ବୁଧବାର ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି)। ଡିଏମଆରସି ପକ୍ଷରୁ ଟ୍ରାଫିକ୍ ସର୍ଭେ, ଜିଓଟେକ୍ନିକାଲ୍ ଇନଭେଷ୍ଟିଗେସନ୍, ଟୋପୋଗ୍ରାଫିକ୍ ସର୍ଭେ ଏବଂ ପରିବେଶ ଓ ସାମାଜିକ ପ୍ରଭାବ ଆକଳନ କରିବା ପରେ ଡିପିଆର ପ୍ରସ୍ତୁତି ଶେଷ କରି ଆଜି ଭୁବନେଶ୍ୱର ମେଟ୍ରୋ ରେଲ୍ କର୍ପୋରେସନକୁ ହସ୍ତାନ୍ତର କରିଛି। ଏ ନେଇ ବିଏମ୍ଆରସି ପକ୍ଷରୁ ଅନୁଷ୍ଠିତ ବୈଠକରେ ଏହି ଡିପିଆର ରିପୋର୍ଟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଦିଆଯାଇଛି।

ଡିପିଆର୍ ଅନୁଯାୟୀ, ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୬ କିଲୋମିଟର ଦୂରତା ଅତିକ୍ରମ କରାଯିବ ଏବଂ ଏଥିରେ ୨୦ଟି ଷ୍ଟେସନ ରହିବ। ଭୁବନେଶ୍ୱର ମେଟ୍ରୋ ରେଳର ପ୍ରଥମ ପର୍ଯ୍ୟାୟ ବିଜୁ ପଟ୍ଟନାୟକ ବିମାନବନ୍ଦର, କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଫୁଲପୋଖରୀ ଓ ତ୍ରିଶୁଳିଆ ଛକକୁ ଅନ୍ତର୍ଭୁକ୍ତ କରିବ।

ଚଳିତ ବର୍ଷ ଏପ୍ରିଲ ପହିଲାରେ ଚଳିତ ବର୍ଷ ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ। ପରେ ଏହି ପ୍ରକଳ୍ପକୁ ଖୋର୍ଦ୍ଧା, ପୁରୀ ଏବଂ ଭୁବନେଶ୍ୱର ଓ କଟକ ସହରର ଅନ୍ୟାନ୍ୟ ଅଞ୍ଚଳରେ ବିସ୍ତାର କରାଯିବ। ଏହି ଡିପିଆର୍ ରିପୋର୍ଟ ପ୍ରସ୍ତୁତ କରିବାକୁ ଦାୟିତ୍ୱରେ ଡିଏମଆରସିକୁ ଦାୟିତ୍ବ ଦିଆ ଯାଇଥିଲା।